୬ ମାସରେ ୧୦୯ ଗାଁରେ ପହଞ୍ଚତ୍ବ ସମସ୍ତ ଯୋଜନା

ସୋନପୁର,୫।୩(ନି.ପ୍ର.): ପଞ୍ଚାୟତିରାଜ ଦିବସରେ ସୁବର୍ଣ୍ଣପୁର ଜିଲାରେ ଘୋଷଣା ହୋଇଛି ମିଶନ ୧୦୯ କାର୍ଯ୍ୟକ୍ରମ । ଜିଲାପାଳ ମୋନିଷା ବାନାର୍ଜୀ ଏହି ଘୋଷଣା କରିଛନ୍ତି । କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସମସ୍ତ ଯୋଜନା ଏକ ନିର୍ଦ୍ଦିଷ୍ଟ ସମୟ ସୀମା ମଧ୍ୟରେ ଜନସାଧାରଣଙ୍କୁ ଯୋଗାଇ ଦିଆଯିବ। ଜିଲାର ମୋଟ ପଞ୍ଚାୟତ ସଂଖ୍ୟା ୧୦୯। ତଦନୁଯାୟୀ ପ୍ରଥମ ପର୍ଯ୍ୟାୟରେ ସମସ୍ତ ପଞ୍ଚାୟତର ଗୋଟିଏ ଲେଖାଏ ଗାଁ(ଅର୍ଥାତ୍‌ ୧୦୯ ଗାଁ)ର ରାସ୍ତା, ପାନୀୟ ଜଳ, ବିଦ୍ୟୁତ୍‌, ବିଦ୍ୟାଳୟ ଓ ଅଙ୍ଗନଓ୍ବାଡି ଆଦିର ସମସ୍ୟା ଥିଲେ ତାର ସମାଧାନ କରାଯିବ। ଭତ୍ତା ପାଇବାରୁ ବଞ୍ଚତ୍ତ ଥିବା ବୃଦ୍ଧାବୃଦ୍ଧ, ଅସହାୟ, ବିଧବା ଓ ଦିବ୍ୟାଙ୍ଗଙ୍କୁ ଚିହ୍ନଟ କରି ଭତ୍ତା ଦିଆଯିବ। ନିର୍ମାଣ ଶ୍ରମିକଙ୍କୁ ଚିହ୍ନଟ କରି ସହାୟତା ଯୋଗଇ ଦେବାର ବ୍ୟବସ୍ଥା ହେବ। ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଯୋଗ୍ୟ ବ୍ୟକ୍ତି ସାମିଲ ହୋଇ ନଥିଲେ ଅନ୍ତର୍ଭୁକ୍ତ କରାଯିବ । ଏମ୍‌ଜିଏନଆରଇଜିଏସ୍‌ରେ କାମ କରିବାକୁ ଚାହୁଁଥିବା ଜବକାର୍ଡ ଧାରୀଙ୍କୁ ପ୍ରଶାସନ ନିଜ ଅଞ୍ଚଳରେ ୧୦୦ ଦିନର କାମ ଯୋଗାଇ ଦେବ । ଆସନ୍ତା ୬ ମାସ ଭିତରେ ୧୦୯ ଗାଁର ଜନସାଧାରଣଙ୍କ ନିକଟରେ ସରକାରଙ୍କ ସମସ୍ତ ଯୋଜନା ଉପଲବ୍ଧ କରାଯିବ ବୋଲି ଜିଲାସ୍ତରୀୟ ପଞ୍ଚାୟତିରାଜ ଦିବସ ସମାରୋହରେ ଅଧ୍ୟକ୍ଷତା କରି ଜିଲାପାଳ ବାନାର୍ଜୀ ଏହି ଘୋଷଣା କରିଥିଲେ। ଜିଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପକ୍ଷରୁ ସଂସ୍କୃତି ଭବନରେ ଆୟୋଜିତ କାର୍ଯ୍ୟକ୍ରମରେ ଜିଲାପାଳ ଆହୁରି କହିଥିଲେ ଯେ, ସୁବର୍ଣ୍ଣପୁର ଏକ ଗ୍ରାମ ବହୁଳ ଜିଲା । ତେଣୁ ଗାଁର ବିକାଶ ହେଲେ ଯାଇ ଜିଲା ଓ ରାଜ୍ୟର ବିକାଶ ହେବ। ଜିଲା ପରିଷଦ ଅଧ୍ୟକ୍ଷା ଉଷା କୁମାରୀ ମୁଖ୍ୟ ଅତିଥିଭାବେ ଯୋଗଦାନ କରି ପ୍ରାକ୍ତନ ମୁଖ୍ୟମନ୍ତ୍ରୀ ସ୍ବର୍ଗତ ବିଜୁ ପଟ୍ଟନାୟକ ଗ୍ରାମାଞ୍ଚଳର ବିକାଶ ପାଇଁ ପଞ୍ଚାୟତିରାଜ ବ୍ୟବସ୍ଥାକୁ ସୁଦୃଢ କରିବା ସକାଶେ ପଦକ୍ଷେପ ନେଇଥିଲେ ଓ ମହିଳା ସଶକ୍ତୀକରଣକୁ ଗୁରୁତ୍ୱ ଦେଉଥିଲେ ବୋଲି କହିଥିଲେ । ଏସ୍‌ପି ଦେବୀପ୍ରସାଦ ଦାଶ ସମ୍ମାନିତ ଅତିଥିଭାବେ ଯୋଗଦେଇ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ ଜଣେ ମହାନ ଜନନେତା ଥିଲେ । ସେ ଲୋକଙ୍କ ସହ ସିଧାସଳଖ ମିଶିବାକୁ ପସନ୍ଦ କରୁଥିଲେ ଓ ସମସ୍ୟାର ସମାଧାନ କରୁଥିଲେ ବୋଲି କହିଥିଲେ। ଅତିରିକ୍ତ ଜିଲାପାଳ ତଥା ଭାରପ୍ରାପ୍ତ ପିଡି ଡିଆରଡିଏ ଶରତ ଚନ୍ଦ୍ର ପଣ୍ଡା ପ୍ରାରମ୍ଭିକ ସୂଚନା ପ୍ରଦାନ କରି ଓଡିଶାରେ ୧୩ ଜିଲାକୁ ୩୦ରେ ପରିଣତ କରିବା ତାଙ୍କର ସାହାସିକ ପଦକ୍ଷେପ ଥିଲା ବୋଲି କହିଥିଲେ ।

Share