୬ ମାସର ଶିଶୁ କରୋନା ପଜିଟିଭ୍‌

ଲଣ୍ଡନ,୧୩।୪: ପୂର୍ବରୁ ହୃଦ୍‌ରୋଗ ସମ୍ବନ୍ଧୀୟ ସମସ୍ୟା ଭୋଗୁଥିବା ୬ମାସର ଶିଶୁ ଏବେ କରୋନାରେ ସଂକ୍ରମିତ। କରୋନାରେ ସଂକ୍ରମିତ ହେବା ପରେ ଉକ୍ତ ଶିଶୁଟିକୁ ହସ୍ପିଟାଲରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଛି। ସୂଚନାଯୋଗ୍ୟ, ବ୍ରିଟେନର ଗ୍ରେଟ ମଞ୍ଚେଷ୍ଟରରେ ରହୁଥିବା ଜଣେ ୬ମାସର ଶିଶୁ ଜନ୍ମହେବା ପରଠାରୁ ହୃଦ୍‌ରୋଗ ସମସ୍ୟାରେ ପୀଡ଼ିତ ଥିଲେ। ୨୦୧୯ ଡିସେମ୍ବରରେ ଶିଶୁଟିର ଓପନ ହାର୍ଟ ସର୍ଜରୀ କରାଯାଇଥିଲା। ବହୁ କମ୍‌ ବୟସରେ ଏହି ସର୍ଜରୀ ସଫଳତା ପୂର୍ବକ ହୋଇଥିବାରୁ ଉକ୍ତ ଶିଶୁକୁ ଡାକ୍ତର ‘ମିରାକଲ୍‌ ବେବି’ ବୋଲି କହିିଥିଲେ। ବର୍ତ୍ତମାନେ ସମୟରେ ବ୍ରିଟେନରେ କରୋନା ଭୂତାଣୁର ପ୍ରକୋପ ଜାରି ରହିଥିବା ବେଳେ ଏଥିରେ ୬ମାସର ଶିଶୁ ମଧ୍ୟ ବର୍ତ୍ତି ପାରିନାର୍ହି। ଶୁକ୍ରବାର ଉକ୍ତ ଶିଶୁଟିର ରିପୋର୍ଟ କରୋନା ପଜିଟିଭ୍‌ ଆସିଥିବା ଜଣାପଡ଼ିଛି। ଏହାପରେ ଶିଶୁଟିକୁ ବ୍ରିଟେନର ଲିବରପୁଲରେ ଥିବା ପେଡିଆଟିକ୍ସ ହସ୍ପିଟାଲର ଭେଣ୍ଟିଲେଟରରେ ରଖାଯାଇଛି। ସେଠାରେ ତାଙ୍କ ଚିକିତ୍ସା ଚାଲିଥିବା ବେଳେ କରୋନା ଯୋଗୁ କେବଳ ମା’ଙ୍କୁ ହସ୍ପିଟାଲରେ ରହିବାକୁ ଅନୁମତି ଦିଆଯାଇଛି। ପୀଡ଼ିତ ଶିଶୁଟିର ବାପାଙ୍କୁ ଘରକୁ ପଠାଇଦିଆଯାଇଛି। ଅପରପକ୍ଷେ ଶିଶୁଟି ସଂକ୍ରମିତ ହେବା ପରେ ଉକ୍ତ ମା’ ବାପା କରୋନା ଭୂତାଣୁକୁ ଗମ୍ଭୀରତାର ସହ ନେବାକୁ ଏବଂ ଘରେ ରହି ସରକାରଙ୍କ ନିୟମ ପାଳନ କରିବାକୁ ସମସ୍ତଙ୍କୁ ନିବେଦନ କରିଛନ୍ତି। ଏଥିସହ ମା’ବାପାଙ୍କ ସହମତିକ୍ରମେ ଉକ୍ତ ଶିଶୁଟିର ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

Share