୬ ଶିଶୁ ଶ୍ରମିକ ଉଦ୍ଧାର

ବାଲିଆପାଳ, ୮।୮(ସ୍ବ.ପ୍ର.)-ବାଲିଆପାଳ ବ୍ଲକ ବାଲିଆପାଳ ବଜାର ଏବଂ କାଳିପଦା ଅଞ୍ଚଳରେ ଚାଇଲ୍ଡଲାଇନ ଏବଂ ଶ୍ରମ ବିଭାଗ ପକ୍ଷରୁ ଗୁରୁବାର ମିଳିତ ଭାବେ ବିଭିନ୍ନ ଦୋକାନ ଉପରେ ଚଢ଼ାଉ କରାଯାଇ ୬ଜଣ ଶିଶୁ ଶ୍ରମିକଙ୍କୁ ଉଦ୍ଧାର କରାଯାଇଛି।
ଜିଲା ଶ୍ରମ ଅଧିକାରୀ କୁବେର ବେହେରାଙ୍କ ନିର୍ଦ୍ଦେଶକ୍ରମେ ଚାଇଲ୍ଡଲାଇନ୍‌ ମୁଖ୍ୟ ପ୍ରଶାନ୍ତ ରାଉତଙ୍କ ନେତୃତ୍ୱରେ ବାଲିଆପାଳ ଚାଇଲ୍ଡଲାଇନ ସବ୍‌ସେଣ୍ଟର ଟିମ୍‌ ମେମ୍ବର କ୍ରିଷ୍ଣାରାଣୀ ଅନଡିଆ, କୁନିମଣି ଭୟାଁ, ଉତ୍ତମ କୁମାର ନାୟକ, ବାଲେଶ୍ୱର ଲେବର ଇନ୍ସପେକ୍ଟର ଦିଲୀପ ହଁାସଦା, ଏନସିଏଲପିର ମୁଖ୍ୟ ତନ୍ମୟ କୁମାର ବିଶ୍ୱାଳ, ଶୁଭେନ୍ଦୁ ଦାସମହାପାତ୍ର, ଏଏସ୍‌ଆଇ ଅଭିମନ୍ୟୁ ସାହୁ ପ୍ରମୁଖଙ୍କୁ ନେଇ ଗଠିତ ଟିମ୍‌ ବିଭିନ୍ନ ସ୍ଥାନରେ ଚଢ଼ାଉ କରିଥିଲେ। ସେମାନେ ବାଲିଆପାଳ ବ୍ଲକ ଛକରେ ଥିବା କାଳିକା ମିଠା ଦୋକାନ ଏବଂ କାଳିପଦା ବଜାରରେ ଥିବା ଗୋପାଳ ଦାସ ମିଷ୍ଟାନ୍ନ ଭଣ୍ଡାର ଉପରେ ଚଢ଼ାଉ କରି ପଶ୍ଚିମବଙ୍ଗ ଏବଂ ବାଲେଶ୍ୱର ଜିଲାର ବିଭିନ୍ନ ଅଞ୍ଚଳର ୬ଜଣ ଶିଶୁ ଶ୍ରମିକଙ୍କୁ କାମ କରୁଥିବା ବେଳେ ଉଦ୍ଧାର କରିଥିଲେ। ସେଥିମଧ୍ୟରୁ ପଶ୍ଚିମଓ୍ବାଡ଼ ଗ୍ରାମର ଜଣେ, ବାଲେଶ୍ୱର ଭୀମପୁରା ଅଞ୍ଚଳର ଦୁଇଜଣ ହୋଇଥିବା ବେଳେ ପଶ୍ଚିମବଙ୍ଗର ହାୱଡ଼ା ଅଞ୍ଚଳର ୩ଜଣ ବୋଲି ଜଣାପଡ଼ିଛି। ପରେ ସେମାନଙ୍କୁ ବାଲେଶ୍ୱର ଜିଲା ଶିଶୁମଙ୍ଗଳ କମିଟି ଅଧ୍ୟକ୍ଷ ଭାଗୀରଥି ବାରିକ, ସଦସ୍ୟ ପଦ୍ମଲୋଚନ ଦତ୍ତ ଓ ଗୌରୀମଣୀ ଉପାଧ୍ୟାୟଙ୍କ ଉପସ୍ଥିତିରେ କମିଟିକୁ ହସ୍ତାନ୍ତର କରାଗଲା। ଜିଲା ଶ୍ରମ ବିଭାଗ ପକ୍ଷରୁ ଦୋକାନ ମାଲିକଙ୍କୁ ନୋଟିସ କରାଯିବ ବୋଲି ଶ୍ରମ ଅଧିକାରୀ ସୂଚନା ଦେଇଛନ୍ତି।

Share