୭ଦିନରେ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ୬୧ ହଜାର ଟପିଛି, ତରବରିଆ ଭାବେ ନିଆଯାଇଛି ଅନ୍‌ଲକ୍‌-୧ ନିଷ୍ପତ୍ତି: ବିଶେଷଜ୍ଞ

ନୂଆଦିଲ୍ଲୀ, ୬।୬: ଦେଶରେ କରୋନା ମହାମାରୀ ସଂକ୍ରମଣ ଥମିବାର ନାଁ ଧରୁନି। ଗତ ୭ ଦିନ ମଧ୍ୟରେ ଦେଶରେ ନୂଆ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୬୧ ହଜାର ଟପିଛି। ଅନ୍‌ଲକ୍‌-୧ ନିଷ୍ପତ୍ତି ସରକାର ତରବରିଆ ଭାବେ ନେଇଥିବାରୁ ଏଭଳି ହୋଇଥିବା ବିଶେଷଜ୍ଞ ମତପୋଷଣ କରିଛନ୍ତି। ଆର୍ଥିକ ସୁଧାର ପାଇଁ ବ୍ୟବସାୟିକ ଅଞ୍ଚଳ ଖୋଲା ଯାଇଛି। ତେବେ ଲୋକେ ସାମାଜିକ ଦୂରତା ନିୟମକୁ ନ ମାନୁଥିବାରୁ ଏଭଳି ହେଉଥିବା କୁହାଯାଉଛି। ଗତ ୨୪ ଘଣ୍ଟା ମଧ୍ୟରେ ୯ ହଜାର ୮୮୭ ଜଣ ନୂଆ କରୋନା ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି। ସେହିପରି ଏହି ସମୟ ମଧ୍ୟରେ ମୃତ୍ୟୁ ସଂଖ୍ୟା ୨୯୪ ରହିଛି ବୋଲି ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି। ବର୍ତ୍ତମାନ ସୁଦ୍ଧା ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ୨ ଲକ୍ଷ ୩୬ ହଜାର ୬୫୭ ରହିଛି। ସେହିପରି ମୋଟ ମୃତକଙ୍କ ସଂଖ୍ୟା ୬ ହଜାର ୬୪୯ରେ ପହଞ୍ଚିଛି। ଶନିବାର ସୁଦ୍ଧା ଲକ୍ଷେ ୧୪ ହଜାର ୭୩ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଅପରପକ୍ଷରେ ଲକ୍ଷେ ୧୫ ହଜାର ୯୪୨ ଜଣ ଆକ୍ରାନ୍ତଙ୍କ ଚିକିତ୍ସା ଜାରି ରହିଛି।

Share