୭ଦିନ ଧରି ପାଳନ ହେବ ବିଜୁ ଜୟନ୍ତୀ

ଭୁବନେଶ୍ୱର,୪ା୨(ବ୍ୟୁରୋ): ସ୍ବର୍ଗତ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀକୁ ଚଳିତ ବର୍ଷ ବିଜେଡି ସପ୍ତହବ୍ୟାପୀ ପାଳନ କରିବ ବୋଲି ନିଷ୍ପତ୍ତି ନେଇଛି। ଆସନ୍ତା ମାର୍ଚ୍ଚ ୫ ତାରିଖରେ ବିଜୁବାବୁଙ୍କ ଜୟନ୍ତୀ ଉତ୍ସବ କାର୍ଯ୍ୟକ୍ରମ ତାଙ୍କ ଜନ୍ମସ୍ଥାନ କଟକରୁ ଆରମ୍ଭ କରାଯିବ। ଚଳିତ ବର୍ଷ ବିଜେଡି ରାଜ୍ୟରେ ସରକାର କରିବାର ୨୦ବର୍ଷ ପୂରଣ ହେଉଛି। ତେଣୁ ସରକାରଙ୍କ ୨୦ବର୍ଷ ପୂର୍ତ୍ତି ମଧ୍ୟ ଏହି ଅବସରରେ ବଡ଼ ଧରଣର ପାଳନ କରାଯିବା ଲାଗି ନିଷ୍ପତ୍ତି ହୋଇଛି। ଏନେଇ ଦଳର ରାଜ୍ୟ କାର୍ଯ୍ୟାଳୟଠାରେ ସୋମବାର ବସିଥିବା ପ୍ରଥମ ପ୍ରସ୍ତୁତି ବୈଠକରେ ନିଷ୍ପତ୍ତି ନିଆଯାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ଏହି କାର୍ଯ୍ୟକ୍ରମ ଉଦ୍‌ଘାଟନ ହେବାକୁ ଥିବାବେଳେ ରାଜ୍ୟର ସମସ୍ତ ନେତା ଏହି କାର୍ଯ୍ୟକ୍ରମରେ ସାମିଲ ହେବେ ବୋଲି ଜଣାପଡିଛି। ୫ମ ଥର ଲାଗି ରାଜ୍ୟରେ ବିଜେଡି ଶାସନ କ୍ଷମତାକୁ ଆସିଥିବାବେଳେ ଗତ ୨୦ବର୍ଷ ସରକାରରେ ରହିବା ମଧ୍ୟରେ ଯେଉଁସବୁ ସଫଳ ଜନକଲ୍ୟାଣକାରୀ ଯୋଜନା କରାଯାଇଛି ତା’ର ରାଜ୍ୟବ୍ୟାପୀ ପ୍ରଚାର ମଧ୍ୟ କରାଯିବ।
ଏମ୍‌ପି ଅନଙ୍ଗ ଉଦୟ ସିଂଦେଓଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ବହୁ ବରିଷ୍ଠ ନେତା ସାମିଲ ହୋଇ ବିଜୁ ଜୟନ୍ତୀ ପାଳନ ସମ୍ପର୍କିତରେ ବିସ୍ତୃତ ଆଲୋଚନା କରିଛନ୍ତି। ବୈଠକ ଶେଷରେ ଦଳର ସାଧାରଣ ସମ୍ପାଦକ ସଞ୍ଜୟ ଦାସବର୍ମା କହିଛନ୍ତି ଯେ, ଏଥର ବିଜୁ ଜୟନ୍ତୀ ରାଜ୍ୟରୁ ଆରମ୍ଭ କରି ବ୍ଲକ ଏବଂ ଓ୍ବାର୍ଡସ୍ତର ପର୍ଯ୍ୟନ୍ତ ପାଳନ କରାଯିବ। କଟକରେ ପ୍ରଥମ ଦିନ କାର୍ଯ୍ୟକ୍ରମର ଉଦ୍‌ଘାଟନ କରାଯିବ। ଛାତ୍ର, ଯୁବ ଏବଂ ମହିଳା ସଙ୍ଗଠନ ମଧ୍ୟ ଏଥିରେ ସାମିଲ ହୋଇ ନିଜସ୍ବ କିଛି ସ୍ବତନ୍ତ୍ର କାର୍ଯ୍ୟକ୍ରମ କରିବେ ବୋଲି ସେ କହିଛନ୍ତି। ଅନ୍ୟପଟେ ବୈଠକରେ ଉପସ୍ଥିତ ଅନ୍ୟ ଜଣେ ନେତା କହିଛନ୍ତି ଯେ, ପ୍ରଥମ ପର୍ଯ୍ୟାୟ ବୈଠକ ଆଜି ଅନୁଷ୍ଠିତ ହୋଇଥିବାବେଳେ ପ୍ରଥମ ଦିନ କାର୍ଯ୍ୟକ୍ରମ କଟକର କେଉଁଠାରେ ଅନୁଷ୍ଠିତ ହେବ ସେନେଇ ନିର୍ଦ୍ଦିଷ୍ଟଭାବେ ଏ ପର୍ଯ୍ୟନ୍ତ କୌଣସି ସ୍ଥାନ ଚୂଡ଼ାନ୍ତ ହୋଇନାହିଁ। ଉଦ୍‌ଯାପନୀ ଉତ୍ସବ କିନ୍ତୁ ପଶ୍ଚିମ ଓଡ଼ିଶାରେ ଅନୁଷ୍ଠିତ ହେବ। ଏଥିରେ ମଧ୍ୟ ରାଜ୍ୟସ୍ତରୀୟ ନେତାମାନେ ସାମିଲ ହେବେ। ଏହି କାର୍ଯ୍ୟକ୍ରମ ସବୁଥର ଭଳି ଜିଲାସ୍ତରରେ ମଧ୍ୟ ପାଳନ ହେବ। ଯୁବ ଏବଂ ଛାତ୍ର ସଙ୍ଗଠନ ପକ୍ଷରୁ ରାଜ୍ୟର ସବୁ ଜିଲାରେ ରକ୍ତଦାନ ଶିବିର ଅନୁଷ୍ଠିତ ହେବ। ଏହି କାର୍ଯ୍ୟକ୍ରମ ମାର୍ଚ୍ଚ ୫ରୁ ଆରମ୍ଭ ହୋଇ ପୂରା ବର୍ଷେ ପର୍ଯ୍ୟନ୍ତ ଚାଲିବ ବୋଲି ନିଷ୍ପତ୍ତି ହୋଇଥିବା ଜଣାପଡିଛି।

Share