
ଝାରସୁଗୁଡ଼ା,୭।୪(ଆଶିଷ ରଞ୍ଜନ ଦାଶ): ଝାରସୁଗୁଡ଼ା ଜିଲାରେ ଘରକୁ ଘର ପାନୀୟ ଜଳ ଯୋଗାଣ ପାଇଁ ୫୦୦ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ବ୍ୟୟ ହୋଇଛି, ହେଲେ ବି ଫଳ ଶୂନ। ନା ଶେଷ ହେଉଛି ପ୍ରକଳ୍ପ, ନା ମିଳୁଛି ସ୍ବଚ୍ଛ ପାଣି। ପାନୀୟ ଜଳ ଯୋଗାଣ ପ୍ରକଳ୍ପ ଆରମ୍ଭ ହେବା ୭ବର୍ଷ ବିତି ଯାଇଥିଲେ ମଧ୍ୟ ଆଜି ବି ଲୋକଙ୍କ ଘରେ ପହଞ୍ଚତ୍ ନାହିଁ ପାଣି। ଫଳରେ ଏବେ ଗାଁଠୁ ସହର ସବୁଠି ପାଣି ସମସ୍ୟା ନେଇ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଲାଣି।
ଝାରସୁଗୁଡା ଜିଲାର ପ୍ରତେକ ଗାଁରେ ଘରକୁ ଘର ଜଳ ଯୋଗାଣ ପାଇଁ ୩ଟି ବୃହତ ପାନୀୟ ଜଳ ଯୋଗାଣ ପ୍ରକଳ୍ପ ହାତକୁ ନିଆଯାଇଛି। ସମସ୍ତ ପ୍ରକଳ୍ପର ନିର୍ଦ୍ଧାରିତ ସମୟ ସୀମା ଶେଷ ହୋଇ ସାରିଛି। ହେଲେ ଏ ପର୍ଯ୍ୟନ୍ତ କୌଣସି ପ୍ରକଳ୍ପ ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ ହୋଇନାହିଁ। ଲଖନପୁର ବ୍ଲକର ୧୭ଟି ପଞ୍ଚାୟତକୁ ଜଳ ଜୀବନ ମିଶନ ଯୋଜନାରେ ମେଗା ପାନୀୟ ଜଳ ଯୋଗାଣ ପାଇଁ ୨୦୧୮ ଜୁନ୍ ୨୭ରେ ଚୁକ୍ତିନାମା ହୋଇଥିଲା। ଏହି ପ୍ରକଳ୍ପ କାର୍ଯ୍ୟକାରୀ ହେଲେ ୧୭ଟି ପଞ୍ଚାୟତର ୬୫ଟି ଗାଁରେ ପାଣି ପହଞ୍ଚତ୍ବ। ଏଥିପାଇଁ ୧୦୯ କୋଟି ଟଙ୍କା ବ୍ୟୟ କରାଯାଇ ୨୦୨୩ ସେପ୍ଟେମ୍ବର ସୁଦ୍ଧା ପ୍ରକଳ୍ପ ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ ପାଇଁ ଧାର୍ଯ୍ୟ ହୋଇଥିଲା। ସେହିପରି ଲଖନପୁର ବ୍ଲକର ଆଉ ୧୬ଟି ପଞ୍ଚାୟତର ୭୯ଟି ଗ୍ରାମକୁ ପାନୀୟ ଜଳ ଯୋଗାଣ ପାଇଁ ବସୁଧା ଯୋଜନା ପାଇଁ ୨୦୧୯ ଅଗଷ୍ଟ ୨୧ରେ ଚୁକ୍ତିନାମା ହୋଇଥିଲା। ୧୨୩ କୋଟି ଟଙ୍କା ବ୍ୟୟରେ ଏହି ପ୍ରକଳ୍ପ ୨୦୨୩ ଅଗଷ୍ଟ ସୁଦ୍ଧା ଶେଷ ହେବା ଲକ୍ଷ୍ୟ ଥିଲା। ସେହିପରି ୩୨୭ କୋଟି ଟଙ୍କା ବ୍ୟୟରେ ଜିଲାର ଅନ୍ୟ ୪୨ଟି ପଞ୍ଚାୟତର ୧୯୪ଟି ଗାଁକୁ ବସୁଧା ଯୋଜନାରେ ପାନୀୟ ଜଳ ଯୋଗାଣ ପାଇଁ ୨୦୧୯ ଅଗଷ୍ଟ ୨୧ରେ ଚୁକ୍ତିନାମା ହୋଇଥିବା ବେଳେ ୨୦୨୪ ମାର୍ଚ୍ଚ ସୁଦ୍ଧା ଶେଷ ହେବାର ଥିଲା। ୩ଟି ପ୍ରକଳ୍ପର ଅବଧି ଶେଷ ହୋଇଥିଲେ ହେଁ ଗୋଟିଏ ବି ସମ୍ପୂର୍ଣ୍ଣ ଭାବେ କାର୍ଯ୍ୟକ୍ଷମ ହୋଇନାହିଁ। ବର୍ଷ ପରେ ବର୍ଷ ବିତୁଛି ହେଲେ ଶେଷ ହେଉ ନାହିଁ ପାନୀୟ ଜଳ ଯୋଗାଣ ପ୍ରକଳ୍ପ। କେଉଁଠି ପାଇପ ପୋତାଯାଇଛି ତ କେଉଁଠି କେବଳ ଟେପ ସଂଯୋଗ ହୋଇଛି। କେତେକ ଗାଁରେ ଟାଙ୍କି ନିର୍ମାଣ ହୋଇଥିବାବେଳେ କେଉଁଠି ପାଇପ୍ ସଂଯୋଗ ପାଇଁ କେବେଳ ଗାତ ଖୋଳି ଛାଡି ଦେଇଛନ୍ତି ଠିକାଦାର। ବର୍ଷ ବର୍ଷ ଧରି ସଂଯୋଗ ହୋଇଥିବା ପାଇପ୍ଗୁଡିକରେ କଳଙ୍କି ଲାଗିଲାଣି। ଫଳରେ ଆଜି ବି ଲୋକେ ସ୍ବଚ୍ଛ ପାନୀୟ ଜଳ ନ ପାଇ ହଇରାଣ ହେଉଛନ୍ତି। ସକାଳ ହେଲେ ମହିଳାମାନେ ବାଧ୍ୟ ହୋଇ ଗରା ବାଲ୍ଟି ଧରି ନଳକୂଅକୁ ଯାଉଛନ୍ତି। ତେବେ ଖରା ଦିନେ ନଳ କୂଅଗୁଡିକରୁ ମଧ୍ୟ ପାଣି ଶୁଖିଯାଏ, ଯେଉଁଥି ପାଇଁ ବେଶ ହଇରାଣ ହୁଅନ୍ତି ଝାରସୁଗୁଡା ଜନସାଧାରଣ। ଶୀଘ୍ର ପ୍ରକଳ୍ପ କାମ ଶେଷ କରି ଘରକୁ ଘର ପାନୀୟ ଜଳ ଯୋଗାଣ ବ୍ୟବସ୍ଥା କରାଯାଉ ବୋଲି ମହିଳାମାନେ ଦାବି କରିଛନ୍ତି। ଏ ନେଇ ଝାରସୁଗୁଡ଼ା ଜିଲାପାଳ କହିଛନ୍ତି ପ୍ରତି ସପ୍ତାହରେ ପାନୀୟ ଜଳ ଯୋଗାଣ ପ୍ରକଳ୍ପ ସମୀକ୍ଷା କରାଯାଉଛି। ଲଖନପୁର ପ୍ରୋଜେକ୍ଟ ପ୍ରାୟ ୯୦ ପ୍ରତିଶତ ଶେଷ ହୋଇଥିବାବେଳେ ଝାରସୁଗୁଡ଼ା ପ୍ରକଳ୍ପ ମଧ୍ୟ ଖୁବଶୀଘ୍ର ଶେଷ ହେବ ବୋଲି ଜିଲାପାଳ କହିଛନ୍ତି।