Advertisement

୭ମାସ ପରେ ଡାକ୍ତର ନିଯୁକ୍ତି

ଢେଙ୍କିକୋଟ, ୩୧ା୭(ଡି.ଏନ୍‌.ଏ.)- କେନ୍ଦୁଝର ଜିଲା ଘଟଗାଁ ବ୍ଲକ ଆଦିବାସୀ ଅଧ୍ୟୁଷିତ ଢେଙ୍କିକୋଟ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ଦୀର୍ଘ ୭ମାସ ହେଲା ଡାକ୍ତର ନ ଥିବାରୁ ଗରିବ ଲୋକେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଥିଲେ। ଏହି ଶୀର୍ଷକ ପାଠ ଅବ୍ୟବସ୍ଥା ଘେରରେ ଢେଙ୍କିକୋଟ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ଧରିତ୍ରୀରେ ଗତ ୨୪ ତାରିଖରେ ପ୍ରକାଶ ପାଇଥିଲା। ରାଜ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ ହେବାରୁ ଏଠାକୁ ଚଳିତ ବର୍ଷ କଟକ ଏସ୍‌ସିବି ମେଡ଼ିକାଲ କଲେଜରୁ ଡାକ୍ତରୀ ପାସ୍‌ କରିଥିବା କେନ୍ଦୁଝର ଜିଲା ତୁର୍ମୁଙ୍ଗା ନୂଆଗାଁ ଗ୍ରାମର ଡାକ୍ତର ଲକ୍ଷ୍ମଣ କୁମାର ମହାନ୍ତଙ୍କୁ ନୂତନ ଡାକ୍ତର ଭାବେ ନବନିଯୁକ୍ତ ଦେଇଛନ୍ତି। ଡାକ୍ତର ଲକ୍ଷ୍ମଣ କୁମାର ମହାନ୍ତ ମଙ୍ଗଳବାର କେନ୍ଦୁଝର ଜିଲା ଆରାଧ୍ୟା ଦେବୀ ମା’ ତାରିଣୀଙ୍କୁ ଦର୍ଶନ କରି ଅପରାହ୍ନ ୪ଟାରେ ଆସି ସ୍ବାସ୍ଥ୍ୟକେନ୍ଦ୍ରରେ କାର୍ଯ୍ୟରେ ଯୋଗଦେଇ ରୋଗୀ ସେବା ଆରମ୍ଭ କରିଛନ୍ତି। ସ୍ବାସ୍ଥ୍ୟକେନ୍ଦ୍ରକୁ ସରକାର ନୂତନ ଭାବେ ଡାକ୍ତର ନିଯୁକ୍ତି ଦେଇଥିବା ଜାଣି ଢେଙ୍କିକୋଟ ଅଞ୍ଚଳର ବହୁ ଶିକ୍ଷାବିତ୍‌, ବୁଦ୍ଧିଜୀବୀ, ବ୍ୟକ୍ତିବିଶେଷ ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଢେଙ୍କିକୋଟ ବିକାଶମଞ୍ଚ ରାଜ୍ୟ ସରକାରଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଅପରାହ୍ନରେ ଡାକ୍ତରଙ୍କୁ ଭେଟି ବିକାଶ ମଞ୍ଚର ସଦସ୍ୟ ତଥା ସାମ୍ବାଦିକ ନୀଳମଣି ମଣ୍ଡଳ, ନୃସିଂହନାଥ ସିଂ, ବଣିକ ସଂଘ ସଦସ୍ୟ, ଲଲାଟେନ୍ଦୁ ସାହୁ, ଜଗନ୍ନାଥ ମହାନ୍ତ ପ୍ରମୁଖ ଶୁଭେଚ୍ଛା ଜଣାଇଛନ୍ତି। ଏଠାରେ ଫାର୍ମାସିଷ୍ଟ ଜଣେ ଆବଶ୍ୟକ ବୋଲି ସାଧାରଣରେ ଦାବି ମଧ୍ୟ ହେଉଛି।

Share