୭ମ ଅର୍ଥନୈତିକ ଗଣନା-୨୦୧୯ ଆରମ୍ଭ:ଠିକ୍‌ ତଥ୍ୟ ସଂଗ୍ରହରେ ହେବ ଆର୍ଥିକ ବିକାଶ

ଢେଙ୍କାନାଳ ଅଫିସ,୨୭ା୮

ଭାରତ ସରକାରଙ୍କ ପରିସଂଖ୍ୟାନ ଏବଂ କାର୍ଯ୍ୟକ୍ରମ ରୂପାୟନ ମନ୍ତ୍ରାଳୟ ଦ୍ୱାରା ପରିଚାଳିତ ୭ମ ଅର୍ଥନୈତିକ ଗଣନା ୨୦୧୯ ସୋମବାର ପୂର୍ବାହ୍ନରେ ଜିଲା କାର୍ଯ୍ୟାଳୟ ପରିସରରେ ଶୁଭାରମ୍ଭ ହୋଇଛି। ସବୁଜ ପତାକା ଦେଖାଇ ଜିଲାପାଳ ଭୂମେଶଚନ୍ଦ୍ର ବେହେରା କାର୍ଯ୍ୟକ୍ରମକୁ ଆରମ୍ଭ କରିବା ସହ ସମସ୍ତ ଗଣନାକାରୀ ଦାୟିତ୍ୱବାନ ହୋଇ ନିଜର ଉତ୍ତରଦାୟିତ୍ୱ ନିର୍ବାହ କରିବାକୁ ପରାମର୍ଶ ଦେଇଥିଲେ। ନିର୍ଭୁଲ ତଥା ଠିକ୍‌ ତଥ୍ୟ ସଂଗ୍ରହ ଦ୍ୱାରା ଜିଲାର ଆର୍ଥିକ ବିକାଶ ସମ୍ଭବ ହେବ ବୋଲି ଜିଲାପାଳ ପ୍ରକାଶ କରିଥିଲେ। ଏହି ଅର୍ଥନୈତିକ ଗଣନା ଆଗାମୀ ୩ ମାସ ମଧ୍ୟରେ ଶେଷ ହେବ। ଗଣନାର ସୁପରଭାଇଜର ଓ ନୋଡାଲ ଅଧିକାରୀମାନେ ଗଣନାକାରୀମାନଙ୍କୁ ଉପଯୁକ୍ତ ତାଲିମ ଦେବା ପାଇଁ ଜିଲାପାଳ ନିର୍ଦ୍ଦେଶ ଦେଇଥିଲେ। ତଥ୍ୟ ସଂଗ୍ରହ ବେଳେ ଜିପିଏସ୍‌ ସମ୍ବନ୍ଧୀୟ ଓ ଦୋହରା ତଥ୍ୟ ଏଡାଇବାକୁ ଜିଲାପାଳ ନିର୍ଦ୍ଦେଶ ଦେଇଥିଲେ। ଜିଲାର ସମସ୍ତ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ସହିତ ହସ୍ତତନ୍ତ ଓ କୁଟୀର ଶିଳ୍ପ ଇତ୍ୟାଦିର ଗଣନା ଏହି କାର୍ଯ୍ୟକ୍ରମରେ ଅନ୍ତର୍ଭୁକ୍ତ ହେବ। ସଂଗଠିତ ଓ ଅଣସଂଗଠିତ କ୍ଷେତ୍ରରେ କାର୍ଯ୍ୟ କରୁଥିବା ସମସ୍ତ ଉଦ୍ୟୋଗ, ହସ୍ତତନ୍ତ ଓ କୁଟୀରଶିଳ୍ପ ଏବଂ ସ୍ବୟଂ ସହାୟକ ଗୋଷ୍ଠୀ ଇତ୍ୟାଦିଙ୍କ ପାଇଁ ଏହା ପ୍ରଯୁଜ୍ୟ ହେବ ବୋଲି ବୈଠକରେ ସୂଚନା ଦିଆଯାଇଥିଲା। ସମସ୍ତ ଗ୍ରାମ ଓ ସହରରେ ଥିବା ଅର୍ଥନୈତିକ ଉଦ୍ୟୋଗଗୁଡିକର ଗଣନା ଜିଲାର ଜନସେବା କେନ୍ଦ୍ର ପରିଚାଳକଙ୍କ ଦ୍ୱାରା ସମ୍ପାଦିତ ହେବ ବୋଲି ଯୋଜନା ବିଭାଗର ଉପନିର୍ଦ୍ଦେଶକ ସରୋଜ କୁମାର ସେଠୀ କାର୍ଯ୍ୟକ୍ରମରେ ଯୋଗଦେଇ ସୂଚନା ଦେଇଥିଲେ। ଜିଲାର ଘରକୁ ଘର ବୁଲି ଗଣନାକାରୀମାନେ ମୋବାଇଲ ଆପ୍‌ରେ ସୂଚନା ଲୋଡିଂ କରିବେ। ଜିଲାରେ ପ୍ରାୟ ୯୦୦ ଗଣନାକାରୀ ଏଥିପାଇଁ ନିୟୋଜିତ ହୋଇଛନ୍ତି। ପ୍ରତି ୫ ବର୍ଷରେ ଥରେ ଏହି ଅର୍ଥନୈତିକ ଗଣନା କରାଯାଇଥାଏ। କାର୍ଯ୍ୟକ୍ରମରେ ଏନ୍‌ଏସ୍‌ଏସ୍‌ଓ ଏସ୍‌ସି ବେହେରା, ଜିଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ହେମନ୍ତ କୁମାର ନାୟକ, ଯୋଜନା ବିଭାଗର ସହକାରୀ ନିର୍ଦ୍ଦେଶକ କୈଳାସଚନ୍ଦ୍ର ସେଠୀ, ଜନସେବା କେନ୍ଦ୍ରର ଜିଲା ପରିଚାଳକ ରାକେଶ କୁମାର ଦାସ ପ୍ରମୁଖ ଉପସ୍ଥିତ ଥିଲେ। ଢେଙ୍କାନାଳ ପୌରାଞ୍ଚଳର ଜନସେବା କେନ୍ଦ୍ରର ସ୍ବତ୍ୱାଧିକାରୀମାନେ ଅଂଶଗ୍ରହଣ କରିଥିଲେ। ଗଣନାକାରୀମାନେ କୌଣସି ଅସୁବିଧାର ସମ୍ମୁଖୀନ ହେଲେ ଟୋଲ ଫ୍ରି ନମ୍ବର ୧୮୦୦-୩୦୦୦-୩୪୬୮ରେ ନିଜ ଆଞ୍ଚଳିକ ଭାଷାରେ ଯୋଗାଯୋଗ କରିପାରିବେ ବୋଲି ସୂଚନା ଦିଆଯାଇଥିଲା।