Categories: ଖେଳ

୭ମ ବିଶ୍ୱ ଟାଇଟଲଠାରୁ ଦୁଇ ପାଦ ଦୂରରେ ମେରୀକମ୍‌

ଉଲାନ-ଉଡେ(ରୁଷିଆ), ୧୦।୧୦: ଛ’ ଥର ବିଶ୍ୱ ଚାମ୍ପିୟନ ଏମ୍‌.ସି. ମେରୀକମ୍‌ ଏଠାରେ ଚାଲିଥିବା ବିଶ୍ୱ ମହିଳା ବକ୍ସିଂ ଚାମ୍ପିୟନଶିପର ସେମିଫାଇନାଲରେ ପ୍ରବେଶ କରି ପଦକ ନିଶ୍ଚିତ କରିଛନ୍ତି। ଟୁର୍ନାମେଣ୍ଟ ଇତିହାସରେ ଏହା ତାଙ୍କର ୮ମ ପଦକ। ମହିଳା ବିଶ୍ୱ ଚାମ୍ପିୟନଶିପ ଟୁର୍ନାମେଣ୍ଟ ଇତିହାସରେ ସବୁଠୁ ସଫଳତମ ବକ୍ସର ମେରୀକମ୍‌ ନିଜ ରେକର୍ଡକୁ ଆହୁରି ଉନ୍ନତର କରିଛନ୍ତି। ସେ ଏବେ କ୍ୟାରିୟରର ୭ମ ବିଶ୍ୱ ଚାମ୍ପିୟନଶିପ ସ୍ବର୍ଣ୍ଣ ପଦକଠାରୁ ଆଉ ମାତ୍ର ଦୁଇ ପାଦ ଦୂରରେ ଅଛନ୍ତି।
ଗୁରୁବାର ୫୧ କେଜି ବର୍ଗରେ କ୍ୱାର୍ଟର ଫାଇନାଲରେ କଲମ୍ବିଆର ଭାଲେନ୍ସିଆ ଭିକ୍ଟୋରିଆଙ୍କୁ ୫-୦ ବ୍ୟବଧାନରେ ହରାଇ ଦେଇଛନ୍ତି। ମ୍ୟାଚ୍‌ରେ କିମ୍ବଦନ୍ତୀ ମଣିପୁର ବକ୍ସର ଚତୁରତାର ସହିତ ପ୍ରଦର୍ଶନ କରିଥିଲେ। ଡିଫେନ୍ସିଭ ଖେଳୁଥିବା ମେରୀକମ୍‌ ନିଜ ସୁଯୋଗକୁ ଅପେକ୍ଷା କରି ପଞ୍ଚ ମାରିଥିଲେ। ନିୟମିତ ବ୍ୟବଧାନରେ ସେ ସିଧା ପଞ୍ଚ ମାରୁଥିଲେ, ଯାହାକି ବେଶ ପ୍ରଭାବକାରୀ ସାବ୍ୟସ୍ତ ହୋଇଥିଲା। ଶୁକ୍ରବାର ବିଶ୍ରାମ ଦିବସ ଥିବାବେଳେ ଶନିବାର ସେମିଫାଇନାଲ ରାଉଣ୍ଡ ଖେଳାଯିବ। ଏଥିରେ ମେରୀକମ୍‌ ୟୁରୋପ ଚାମ୍ପିୟନ ବୁସେନାଜ ସାକିରୋଗ୍‌ଲୁଙ୍କୁ ଭେଟିବେ।

Share