୭ରୁ ଡଗ୍‌ ଶୋ ଭାଗନେବେ ୩୦ପ୍ରଜାତିର ୩୦୦ କୁକୁର ପ୍ରଥମଥର ପାଇଁ ହେବ ‘ବିଗଲ ସ୍ପେଶିଆଲିଟି’

ଭୁବନେଶ୍ୱର,୩ା୧୨(ବ୍ୟୁରୋ): ଓଡ଼ିଶା କେନେଲ କ୍ଲବ ପକ୍ଷରୁ ‘ଡଗ୍‌ ଶୋ’ ଆସନ୍ତା ୭ ତାରିଖଠାରୁ ଆରମ୍ଭ ହେବ। ଏନେଇ କ୍ଲବ୍‌ ପକ୍ଷରୁ ସମସ୍ତ ପ୍ରକାର ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚତ୍ଲାଣି। ପ୍ରତିଯୋଗିତାର କାର୍ଯ୍ୟସୂଚୀ ଏବଂ କେଉଁ ବିଚାରକ ଆସିବେ ସ୍ଥିର ହୋଇସାରିଲାଣି। ଦୁଇଦିନ ବ୍ୟାପୀ ହେବାକୁ ଥିବା ଏହି ଶୋ ୟୁନିଟ୍‌-୬ ବାଳକ ଉଚ୍ଚ ବିଦ୍ୟାଳୟ ପଡ଼ିଆରେ ଅନୁଷ୍ଠିତ ହେବ। ପ୍ରଥମ ଦିନ ଓବିଡିଏନ୍ସ ଟ୍ରାଏଲ୍ସ ରହିଛି। ଏହାସହ ଜର୍ମାନ ଶେଫର୍ଡ ଡଗ୍‌ ସ୍ପେଶିଆଲିଟି, ଲାବ୍ରାଡର୍‌ ସ୍ପେଶିଆଲିଟି, ବିଗଲ ସ୍ପେଶିଆଲିଟି ହେବ। ଚଳିତବର୍ଷ ପ୍ରଥମଥର ପାଇଁ ବିଗଲ ପ୍ରଜାତିର କୁକୁରଙ୍କ ପାଇଁ ସ୍ବତନ୍ତ୍ର ପ୍ରତିଯୋଗିତା ହେବାକୁ ଯାଉଛି। ବିଗଲ ସ୍ପେଶିଆଲିଟି ଓ ଲାବ୍ରାଡର୍‌ ସ୍ପେଶିଆଲିଟି ପାଇଁ ସି.ଭି. ସୁଦର୍ଶନ ବିଚାରକ ଥିବାବେଳେ ଜର୍ମାନ ଶେଫର୍ଡ ଡଗ୍‌ ସ୍ପେଶିଆଲିଟି ପାଇଁ ଜର୍ମାନୀରୁ ହାରାଲ୍‌ଡ ହୋମାନ ଓ ଓବିଡିଏନ୍ସ ଟ୍ରାଏଲ୍ସ ପାଇଁ ରାଜେନ୍ଦ୍ର ଏମ୍‌. ସାଲ୍‌ଭି ବିଚାରକ ରହିଛନ୍ତି।
ଚଳିତବର୍ଷ କ୍ଲବ୍‌ ତା’ର ୫୯ତମ ଓ ୬୦ତମ ‘ଅଲ୍‌ ବ୍ରିଡ୍‌ସ ଚାମ୍ପିୟନ୍‌ଶିିପ୍‌ ଶୋ’ ଆୟୋଜନ କରିବ। ଏଥିରେ ବିଭିନ୍ନ ପ୍ରଜାତିର କୁକୁର ଭାଗ ନେବେ। ଏନେଇ ପଞ୍ଜୀକରଣ ଚାଲିଛି। ଅଲ୍‌ ବ୍ରିଡ୍‌ସ ଶୋ ପାଇଁ ସ୍ବିଡେନ୍‌ରୁ ଇଭା ଲିଲ୍‌ଜେକ୍‌ଭିସ୍ତ ବର୍ଗ ଓ ଲାଟିଭାରୁ ରିତା ଖଡିକେ ସ୍କାଡିନା ବିଚାରକଭାବେ ରହିବେ।
ଚଳିତବର୍ଷ କୋଲକାତା, ହାଇଦ୍ରାବାଦ, ଦିଲ୍ଲୀ, ଚେନ୍ନାଇ, ଲକ୍ଷ୍ନୌ, ଜାମ୍‌ସେଦପୁର, ରାୟପୁର, ଭୋପାଳ ସମେତ ବିଭିନ୍ନ ରାଜ୍ୟରୁ କୁକୁର ଅଂଶଗ୍ରହଣ କରୁଛନ୍ତି। ଓଡ଼ିଶାରୁ ପ୍ରତିବର୍ଷ ଅଂଶଗ୍ରହଣକାରୀଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ପାଉଛି। ଏଥର ଭୁବନେଶ୍ୱର, କଟକ ସମେତ ଝାରସୁଗୁଡ଼ା, ସମ୍ବଲପୁର, ବରଗଡ଼, ବାଲେଶ୍ୱର, ଭଦ୍ରକ, ପୁରୀ ଭଳି ବହୁ ଜିଲାରୁ କୁକୁର ଅଂଶଗ୍ରହଣ କରୁଛନ୍ତି। ବର୍ତ୍ତମାନ ସୁଦ୍ଧା ପ୍ରାୟ ୨୦୦ ପଞ୍ଜୀକରଣ ହୋଇସାରିଛି। ତେବେ ଚଳିତବର୍ଷ ପ୍ରାୟ ୩୦ ପ୍ରଜାତିର ୩୦୦ କୁକୁର ଭାଗନେବେ ବୋଲି କ୍ଲବ୍‌ ଆଶା ରଖିଛି। ସୋମବାର କ୍ଲବ ପକ୍ଷରୁ ଭେଟେରିନାରୀ କାଉନ୍‌ସିଲ ହଲ୍‌ଠାରେ ଆୟୋଜିତ ଖବରଦାତା ସମ୍ମିଳନୀରେ ଏହି ସୂଚନା ପ୍ରଦାନ କରାଯାଇଛି। ସମ୍ମିଳନୀରେ କ୍ଲବ ସଭାପତି ଏସ୍‌. କେ. ରାୟ, ଅବୈତନିକ ସମ୍ପାଦକ ସୁବ୍ରତ ପୃଷ୍ଟି, ଅବୈତନିକ ଯୁଗ୍ମ ସମ୍ପାଦକ ତଥା କୋଷାଧ୍ୟକ୍ଷ ସିଦ୍ଧାର୍ଥ ମହାନ୍ତି, ସଦସ୍ୟ ପ୍ରଦୀପ କୁମାର ମହାନ୍ତି, ରବିନ ସାହୁ ଏବଂ ସଙ୍କେତ ଶତପଥୀ ପ୍ରମୁଖ ଉପସ୍ଥିତ ଥିଲେ।

Share