୭ରେ ତପୋବନ ମହିମା ମେଳା: ସମସ୍ତଙ୍କ ସହଯୋଗ ଲୋଡ଼ିଲେ ଜିଲାପାଳ

ଢେଙ୍କାନାଳ ଅଫିସ, ୩୦।୧୦: ମହିମାଧର୍ମର ଆଦିପୀଠ ତଥା ପ୍ରାକୃତିକ ସୌନ୍ଦର୍ଯ୍ୟର ଗନ୍ତାଘର ତପୋବନ ମହିମା ବିହାରରେ ଆସନ୍ତା ୭ ତାରିଖରେ ତପୋବନ ମେଳା ଅନୁଷ୍ଠିତ ହେବ। ଏହାକୁ ଶୃଙ୍ଖଳିତ ଭାବେ ସମାପନ କରିବାକୁ ବୁଧବାର ମଧ୍ୟାହ୍ନରେ ଜିଲା କାର୍ଯ୍ୟାଳୟ ସଦ୍‌ଭାବନା ଗୃହରେ ପ୍ରସ୍ତୁତି ବୈଠକ ବସିଥିଲା। ଏଥିରେ ଅଧ୍ୟକ୍ଷତା କରି ଜିଲାପାଳ ଭୂମେଶ ଚନ୍ଦ୍ର ବେହେରା କହିଲେ, ସମସ୍ତଙ୍କ ସହଯୋଗ ମିଳିଲେ ମେଳା ସରସ ସୁନ୍ଦର ହୋଇପାରିବ। ପୀଠକୁ ଯିବାକୁ ଥିବା ରାସ୍ତା ନିର୍ମାଣ ୧ ତାରିଖ ସୁଦ୍ଧା ଶେଷ ହେବ ବୋଲି ଡିଏଫ୍‌ଓ ବିମଳ ପ୍ରସାଦ ଆଚାର୍ଯ୍ୟ ସୂଚନା ଦେଇଥିଲେ।
କୌପିନଧାରୀ ମହିମା ସମାଜ ସଭାପତି ବାବା ରଘୁନାଥ ଦାସ ଆଲୋଚନାରେ ଭାଗନେଇ କହିଲେ, ଆଧ୍ୟାତ୍ମିକ ଦୃଷ୍ଟିକୋଣରୁ ତପୋବନ ମହିମା ପୀଠର ଗୁରୁତ୍ୱ ରହିଛି। ପୀଠର ଉନ୍ନତୀକରଣ ପାଇଁ ପ୍ରଶାସନ ଆଗଭର ହେବା ଜରୁରୀ। ନିର୍ମାଣାଧୀନ ରାସ୍ତାକୁ ଅଧିକ ଚଉଡ଼ା କରିବା, ଶ୍ରଦ୍ଧାଳୁମାନଙ୍କ ସୁରକ୍ଷା, ଉପଯୁକ୍ତ ପାର୍କିଂ ବ୍ୟବସ୍ଥା ଏବଂ ପ୍ରସାଦସେବନ ପାଇଁ ଉଦ୍ଦିଷ୍ଟ ସ୍ଥାନକୁ ସମତୁଲ କରିବାକୁ ସେ ନିବେଦନ କରିଛନ୍ତି। ମେଳାକୁ ହଜାର ହଜାର ସଂଖ୍ୟାରେ ଶ୍ରଦ୍ଧାଳୁଙ୍କ ସମାଗମ ହେବ। ଏହାକୁ ନଜରରେ ରଖି ଆବଶ୍ୟକ ପୋଲିସ ମୁତୟନ ହେବେ। ଏଥିସହ ପାନୀୟ ଜଳ ଯୋଗାଣ ବ୍ୟବସ୍ଥା, ଆଲୋକୀକରଣ, ସ୍ବାସ୍ଥ୍ୟ ଓ ପରିମଳ ନେଇ ବିସ୍ତୃତ ଆଲୋଚନା କରାଯାଇଛି। ଢେଙ୍କାନାଳ ପୌରସଂସ୍ଥା ପକ୍ଷରୁ ଡଷ୍ଟବିନ୍‌, ଭ୍ରାମ୍ୟମାଣ ପାଇଖାନା, ବ୍ଲକ ପକ୍ଷରୁ ଜେନେରେଟର, ତହସିଲ ପକ୍ଷରୁ ଅସ୍ଥାୟୀ ଆଶ୍ରୟସ୍ଥଳ ପାଇଁ ତାର୍‌ପୋଲିନ, ଅଗ୍ନିଶମ ବିଭାଗ ପକ୍ଷରୁ ଅସ୍ଥାୟୀ ଅଗ୍ନି ନିର୍ବାପକ କେନ୍ଦ୍ର ବ୍ୟବସ୍ଥା କରାଯିବ। ଯାତ୍ରୀଙ୍କୁ ସହାୟତା କରିବାକୁ ସ୍ବେଚ୍ଛାସେବୀ ମୁତୟନ ହେବେ। ମେଳା ଅବସରରେ ଆୟୋଜିତ ହେବାକୁ ଥିବା ଧର୍ମସଭାରେ ତପୋବନ ବାର୍ଷିକ ପତ୍ରିକାକୁ ଜିଲାପାଳ ଉନ୍ମୋଚନ କରିବେ।

Share