ଢେଙ୍କାନାଳ ଅଫିସ, ୧୪।୧୦: ନଭେମ୍ବର ୭ରେ କପିଳାସସ୍ଥିତ ତପୋବନ ମହିମା ପୀଠର ବାର୍ଷିକ ମେଳା ଅନୁଷ୍ଠିତ ହେବ। ଏହାକୁ ବିଧି ବ୍ୟବସ୍ଥିତ କରିବାକୁ କାଦୁଆ ତପୋବନ ତଳ ଆଶ୍ରମରେ ଶନିବାର ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ନାଗିଆପଶି, ବେଲଟିକିରି ଏବଂ କାଇମାଟି ପଞ୍ଚାୟତର ବୁଦ୍ଧିଜୀବୀ ଉପସ୍ଥିତ ରହି ବିଭିନ୍ନ ବିଷୟରେ ଆଲୋଚନା କରିଥିଲେ।
ନଭେମ୍ବର ୭ କାର୍ତ୍ତିକ ଶୁକ୍ଳ ଦଶମୀ ତିଥିରେ ବାର୍ଷିକ ମେଳା ଅନୁଷ୍ଠିତ ହେବ। ଏହି ଉପଲକ୍ଷେ ବ୍ରାହ୍ମ ମୁହୂର୍ତ୍ତରେ ଶୂନ୍ୟବ୍ରହ୍ମଙ୍କ ଉଦ୍ଦେଶ୍ୟରେ ଅହ୍ମୁଣିଆ ଲାଗି କରାଯିବା ସହ ବାଲ୍ୟଲୀଳା ସମ୍ପନ୍ନ ହେବ। ଜଗତକଲ୍ୟାଣ କାମନା କରି ୮ ତାରିଖ ଯାଏ ଆହୋରାତ୍ର ଅଖଣ୍ଡ ବ୍ରହ୍ମଜ୍ୟୋତିରେ ଘୃତାହୁତି ଦିଆଯିବ। ଅନ୍ନଯଜ୍ଞ ଲାଗି ଆବଶ୍ୟକ ଖାଦ୍ୟ ସାମଗ୍ରୀ ଯୋଗାଣ, ରନ୍ଧନ ପ୍ରସ୍ତୁତି ଏବଂ ପରିବେଷଣ ପାଇଁ ସ୍ବେଚ୍ଛାସେବୀଙ୍କୁ ଚୟନ କରାଯାଇଛି।
ବୈଠକରେ କୌପୀନଧାରୀ ମହିମା ସମାଜ ସଭାପତି ଶ୍ରୀମଦ୍ ରଘୁନାଥ ବାବା ଅଧ୍ୟକ୍ଷତା କରି ମହିମା ଧର୍ମର ପ୍ରାସଙ୍ଗିକତା ଉପରେ ଆଲୋଚନା କରିଥିଲେ। ମହିମା ଜ୍ୟୋତିଯାତ୍ରାର ମୁଖ୍ୟ ସଂଯୋଜକ ପ୍ରଦ୍ୟୁମ୍ନ ରଥ, ତପୋବନ ପତ୍ରିକାର ସମ୍ପାଦକ ପ୍ରଶାନ୍ତ ମହାପାତ୍ର, ଜ୍ଞାନୀ ବାବା, ନିରାକାର ବାବା, ଦନେଇ ବାବା, ନିବାରଣ ବାବା, ସନକ ବାବା, କରୁଣାକର ବାବା, ସଚେତନ ନାଗରିକ ଫୋରମ୍ ସମ୍ପାଦକ ଭରତ ଦାସଙ୍କ ସହ ବହୁ ସାଧୁସନ୍ଥ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ ା