ନୂଆଦିଲ୍ଲୀ,୨୯ା୫(ପି.ଟି.): ଲକ୍ଡାଉନ ୪.୦ ଅବଧି ଶେଷ ହେବାକୁ ଆଉ ୩ ଦିନ ବାକି ଥିବାବେଳେ କ୍ୟାବିନେଟ ସଚିବ ରାଜୀବ ଗୌବା ଗୁରୁବାର ଦେଶର ସର୍ବାଧିକ ସଂକ୍ରମିତ ୧୩ ସହରର ମ୍ୟୁନିସିପାଲ କମିଶନ ଏବଂ ଜିଲାପାଳଙ୍କ ସହ ଆଲୋଚନା କରିଛନ୍ତି। ଦେଶର ପାଖାପାଖି ୭୦ ପ୍ରତିଶତ କରୋନା ପଜିଟିଭ୍ ଏହି ୧୩ଟି ସହରରେ ରହିଥିବାରୁ କ୍ୟାବିନେଟ ସଚିବଙ୍କ ବୈଠକକୁ ଗୁରୁତ୍ୱପୂର୍ଣ୍ଣ ମନେକରାଯାଉଛି। ଭିଡିଓ କନ୍ଫରେନ୍ସ ଜରିଆରେ ହୋଇଥିବା ଏହି ବୈଠକରେ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ମୁଖ୍ୟ ସଚିବ ଓ ପ୍ରମୁଖ ସ୍ବାସ୍ଥ୍ୟ ସଚିବମାନେ ଯୋଗଦେଇଥିଲେ। ମୁମ୍ବାଇ, ଚେନ୍ନାଇ, ଦିଲ୍ଲୀ, ଅହମଦାବାଦ, ଠାଣେ, ପୁଣେ, ହାଇଦ୍ରାବାଦ, କୋଲକାତା/ହାଓଡା, ଇନ୍ଦୋର, ଜୟପୁର, ଯୋଧପୁର, ଚେଙ୍ଗଲପାଟ୍ଟୁ, ଥିରୁଭାଲୁରର ମ୍ୟୁନିସିପାଲ କମିଶନ ତଥା ସମ୍ପୃକ୍ତ ଜିଲାର ଜିଲାପାଳ ଆଲୋଚନାରେ ସାମିଲ ହୋଇଥିଲେ। କୋଭିଡ୍-୧୯ ମାମଲା ପରିଚାଳନାରେ ମ୍ୟୁନିସିପାଲ କର୍ପୋରେଶନ ଗ୍ରହଣ କରିଥିବା ପଦକ୍ଷେପ ସମ୍ପର୍କରେ ବୈଠକରେ ସମୀକ୍ଷା କରାଯାଇଥିଲା।