Categories: ବାଣିଜ୍ୟ

୭୦ ହଜାର କୋଟିର ଦାବିଦାର ନାହାନ୍ତି

ନୂଆଦିଲ୍ଲୀ,୨୭-୪: ଜାଣି ଚକିତ ହେବେ ଯେ, ଦେଶର ବିଭିନ୍ନ ଆର୍ଥିକ ସଂସ୍ଥାରେ ପଡିରହିଛି ୭୦ ହଜାର କୋଟି ଟଙ୍କା। ଏତେ ବଡ଼ ଆକାରର ଟଙ୍କାର କେହି ଦାବିଦାର ନାହାନ୍ତି। ଶେୟାର କିଣି, ପୋଷ୍ଟ ଅଫିସ ଅଥବା ବ୍ୟାଙ୍କର ବିଭିନ୍ନ ସ୍କିମ୍‌ରେ ଜମା କରି ଅଥବା ବୀମା କିଣି ଲୋକେ ଏହାକୁ ଭୁଲି ଯାଇଥିବା ଏହାର କାରଣ ବୋଲି ଦର୍ଶାଯାଉଛି। ସେହିପରି ଅଧିକାଂଶ ଲୋକେ ଅର୍ଥ ଜମା କରିବା ଆରମ୍ଭ କରିଥିଲେ ହେଁ ପରିପକ୍ୱ ପର୍ଯ୍ୟନ୍ତ ନିବେଶ ବଜାୟ ରଖି ନ ପାରିବା ଦ୍ୱିତୀୟ କାରଣ ବୋଲି କୁହାଯାଉଛି। ସେହିପରି ଅନେକ ନିବେଶକାରୀଙ୍କ ମୃତ୍ୟୁ ହୋଇଯାଇଛି, ଅଥଚ ତାଙ୍କର ପରିବାରକୁ ଜମା ସମ୍ପର୍କରେ କୌଣସି ସୂଚନା ମିଳି ନାହିଁ। ଭିନ୍ନ ଭିନ୍ନ କାରଣରୁ ଜମା ହୋଇଥିବା ଅର୍ଥ ପାଇଁ କେହି ଦାବିଦାର ସାମ୍ନାକୁ ଆସୁନାହାନ୍ତି। ପ୍ରାପ୍ତ ସୂଚନାରୁ ଜଣାପଡିଛି ଯେ, ବହୁ ଭାରତୀୟ ପିୟରଲେସ ଜେନେରାଲ ଫାଇନାନ୍ସ ଆଣ୍ଡ ଇନଭେଷ୍ଟମେଣ୍ଟରେ ଅର୍ଥ ରଖି ଭୁଲିଯାଇଛନ୍ତି। ୧୫ ବର୍ଷରେ ସେମାନଙ୍କ ନିବେଶ ବଢ଼ି ୧୫୧୪ କୋଟି ଟଙ୍କା ହୋଇଛି। ସେହିପରି ଶେୟାର ଓ ଲାଭାଂଶ ବାବଦରେ ଆଇଇପିଏଫ୍‌ରେ ଗତ ୭ ବର୍ଷ ମଧ୍ୟରେ ଦାବିହୀନ ୪୧୩୮ କୋଟି ଟଙ୍କା ଜମା ହୋଇରହିଛି। ଏହାଛଡ଼ା ବିଭିନ୍ନ କମ୍ପାନୀର ୨୧,୨୩୨.୧୫ କୋଟି ଟଙ୍କାର ୬୫.୦୨ କୋଟି ଶେୟାର ଜମା ହୋଇ ରହିଛି। ଅନୁରୂପ ଭାବେ ୨୪ ଜୀବନ ବୀମା କମ୍ପାନୀଙ୍କ ନିକଟରେ ଦାବିହୀନ ୧୬ ହଜାର କୋଟି ଟଙ୍କା ପଡି ରହିଛି। ଏହାର ୭୦% ଅର୍ଥାତ୍‌ ମୋଟ ୧୦,୫୦୯ କୋଟି ଟଙ୍କା କେବଳ ଏଲ୍‌ଆଇସି ନିକଟରେ ପଡିରହିଛି। ଏହାଛଡ଼ା ୨୪ ଅଣ ଜୀବନବୀମା କମ୍ପାନୀଙ୍କ ନିକଟରେ ୮୪୮ କୋଟି ଟଙ୍କା ରହିଛି। ସେହିପରି ଜୁନ, ୨୦୧୮ ସୁଦ୍ଧା ୧୯,୫୬୭ କୋଟି ଟଙ୍କା ବ୍ୟାଙ୍କରେ ଜମା ହୋଇ ପଡିରହିିଛି। ଅନୁରୂପ ଭାବେ ଦେଶର ବିଭିନ୍ନ ପୋଷ୍ଟ ଅଫିସରେ ପଡି ରହିଥିବା ୯୩୯୫ କୋଟି ଟଙ୍କାର କେହି ଦାବିଦାର ନାହାନ୍ତି।

Share