Advertisement

୭୨ ବର୍ଷରେ ମୌସୁମୀ: ପ୍ରକୃତ ନାମ ଥିଲା ଇନ୍ଦିରା

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ମୌସୁମୀ ଚାଟାର୍ଜୀ ରବିବାର ୭୨ ବର୍ଷରେ ପାଦ ଦେଇଛନ୍ତି। ୧୯୪୮ ଏପ୍ରିଲ୍‌ ୨୬ରେ କୋଲକାତାଠାରେ ସେ ଜନ୍ମଗ୍ରହଣ କରିଥିଲେ। ଅତି କମ୍‌ ବୟସରୁ ସେ ଶିଶୁକଳାକାର ଭାବେ ଫିଲ୍ମରେ ଅଭିନୟ ଆରମ୍ଭ କରିଥିଲେ। ମୌସୁମୀଙ୍କ ପ୍ରକୃତ ନା ଇନ୍ଦିରା ଚାଟାର୍ଜୀ ଥିଲା। ବଙ୍ଗାଳି ଫିଲ୍ମ ନିର୍ଦ୍ଦେଶକ ତରୁଣ ମଜୁମଦାର୍‌ ତାଙ୍କ ନାମକୁ ପରିବର୍ତ୍ତନ କରି ମୌସୁମୀ ରଖିଥିଲେ। ତାଙ୍କର ବହୁ ବଙ୍ଗାଳି ତଥା ହିନ୍ଦୀ ଫିଲ୍ମ ବକ୍ସ୍‌ ଅଫିସରେ ହିଟ୍‌ ହୋଇଥିଲା। ୧୬ ବର୍ଷ ବୟସରେ ସେ ବଙ୍ଗାଳୀ ଫିଲ୍‌ ବାଳିକା ବଧୂରେ ଅଭିନୟ କରି ଦର୍ଶକଙ୍କ ମନକୁ ଜିଣି ପାରିଥିଲେ। ଏହି ଫିଲ୍ମ ସୁପର ହିଟ୍‌ ହୋଇଥିଲା। ତାଙ୍କର ବିବାହ କମ୍‌ ବୟସରେ ପ୍ରଡ୍ୟୁସର ଜୟନ୍ତ ମୁଖାର୍ଜୀଙ୍କ ସହିତ ହୋଇଥିଲା। ୧୮ ବୟସ ପୂର୍ବରୁ ସେ ମା’ ମଧ୍ୟ ହୋଇସାରିଥିଲେ। ଏହା ପରେ ସେ ହିନ୍ଦୀ ଫିଲ୍ମରେ ଲିଡ୍‌ ରୋଲ୍‌ କରିବା ଆରମ୍ଭ କରିଥିଲେ। ୧୯୭୨ରେ ତାଙ୍କ ଦ୍ୱାରା ଅଭିନୀତ ଅନୁରାଗ ଫିଲ୍ମର ଏଭର ଗ୍ରୀନ୍‌ ଗୀତ ଏବେ ବି ଲୋକଙ୍କୁ ରୋମାଞ୍ଚିତ କରିଥାଏ। ୧୯୭୪ରେ ହିନ୍ଦୀ ଫିଲ୍ମ ରୋଟି କପଡ଼ା ଔର ମକାନ୍‌ ଶୁଟିଂ ସମୟରେ ସେ ଗର୍ଭବତୀ ଥିଲେ। ମାତ୍ର ଏହି ଫିଲ୍ମରେ ଅତି ନିଖୁଣ ଭାବେ ଅଭିନୟ କରିଥିଲେ। ଏହି ଫିଲ୍ମ ବେଶ୍‌ ସଫଳ ରହିଥିଲା। ଅମିତାଭ ବଚ୍ଚନ, ବିନୋଦ ମେହେରା, ବିନୋଦ ଖାନ୍ନା, ରାଜେଶ ଖାନ୍ନା ଆଦି ଅଭିନେତାଙ୍କ ସହିତ ତାଙ୍କର ବହୁ ଫିଲ୍ମ ବେଶ୍‌ ସଫଳ ରହିଥିଲା। ମୌସୁମୀଙ୍କ ଉଚ୍ଚକୋଟୀର ଅଭିନୟକୁ ଦର୍ଶକ ବେଶ୍‌ ପସନ୍ଦ ମଧ୍ୟ କରିଥିଲେ।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share