ନୂଆଦିଲ୍ଲୀ,୨୩।୨: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ୍ ଟ୍ରମ୍ପ୍ ଭାରତ ଗସ୍ତରେ ଆସୁଛନ୍ତି। ଏନେଇ ଭାରତ ସରକାରଙ୍କ ପକ୍ଷରୁ ଜୋର୍ସୋର୍ ପ୍ରସ୍ତୁତି ଜାରି ରହିଛି। ଭାରତ ସ୍ବାଧୀନ ହେବାର ଗତ ୭୩ ବର୍ଷ ମଧ୍ୟରେ ୬ ଜଣ ଆମେରିକା ରାଷ୍ଟ୍ରପତି ଭାରତ ଗସ୍ତରେ ଆସିଛନ୍ତି। ଟ୍ରମ୍ପ୍ଙ୍କୁ ମିଶାଇଲେ ଏହି ସଂଖ୍ୟା ୭ ହେବ। ୧୯୫୯ ଡିସେମ୍ବରରେ ପ୍ରଥମ ଆମେରିକା ରାଷ୍ଟ୍ରପତି ଭାବେ ଡି. ଆଇଜନହାଓ୍ବର ତତ୍କାଳୀନ ପ୍ରଧାନମନ୍ତ୍ରୀ ଜବାହରଲାଲ୍ ନେହେରୁଙ୍କ ସମୟରେ ଭାରତ ଗସ୍ତରେ ଆସିଥିଲେ। ସେ ଭାରତୀୟ ସଂସଦର ମିଳିତ ଅଧିବେଶନରେ ଉଦ୍ବୋଧନ ଦେଇଥିଲେ। ତାଜମହଲ ଦେଖିବା ପାଇଁ ଆଇଜନହାଓ୍ବର ଆଗ୍ରା ଗସ୍ତ କରିଥିଲେ। ଏହା ସହିତ ଦିଲ୍ଲୀର ରାମଲୀଳା ମଇଦାନରେ ଏକ ରାଲିକୁ ମଧ୍ୟ ସେ ସମ୍ବୋଧିତ କରିଥିଲେ। ୧୯୬୯ ଜୁଲାଇ ୩୧ରେ ଆମେରିକା ରାଷ୍ଟ୍ରପତି ରିଚାର୍ଡ ନିକସନ୍ ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ସମୟରେ ଭାରତ ଗସ୍ତରେ ଆସିଥିଲେ। ସେ ଭାରତରେ ୨୨ ଘଣ୍ଟା ବିତାଇ ପାକିସ୍ତାନ ଗସ୍ତରେ ଯାଇଥିଲେ। ଇନ୍ଦିରା ଗାନ୍ଧୀଙ୍କ ସହିତ ନିକସନ୍ଙ୍କ ସମ୍ପର୍କ ଭଲ ନ ଥିଲା। ୧୯୭୧ ଭାରତ-ପାକିସ୍ତାନ ଯୁଦ୍ଧ ସମୟରେ ସେ ଭାରତକୁ ଧମକ ଦେବା ସହିତ ପାକିସ୍ତାନ ସହାୟତା ପାଇଁ ନୌସେନା ମଧ୍ୟ ପଠାଇଥିଲେ। ତେବେ ରୁଷିଆ ଭାରତକୁ ସମର୍ଥନ କରିବାକୁ ଆମେରିକା ପଛକୁ ହଟିଥିଲା। ୧୯୭୮ ଜାନୁୟାରୀରେ ଆମେରିକା ରାଷ୍ଟ୍ରପତି ଜିମି କାର୍ଟର ପ୍ରଧାନମନ୍ତ୍ରୀ ମୋରାରଜୀ ଦେଶାଇଙ୍କ ସମୟରେ ଭାରତ ଗସ୍ତରେ ଆସିଥିଲେ। ୨୦୦୦ ମାର୍ଚ୍ଚରେ ରାଷ୍ଟ୍ରପତି ବିଲ୍ କ୍ଲିଣ୍ଟନ ଭାରତ ଗସ୍ତରେ ଆସିଥିଲେ। ସେ ଭାରତରେ ୫ ଦିନ ବିତାଇଥିଲେ। ସେତେବେଳେ ଭାରତରେ ପ୍ରଧାନମନ୍ତ୍ରୀ ଭାବେ ଅଟଳ ବିହାରୀ ବାଜପେୟୀଙ୍କ ସରକାରଥିଲେ। କ୍ଲିଣ୍ଟନ ଦିଲ୍ଲୀ, ଜୟପୁର, ଆଗ୍ରା, ହାଇଦ୍ରାବାଦ୍ ଏବଂ ମୁମ୍ବାଇ ବୁଲିଥିଲେ। ପାକିସ୍ତାନରେ ସେ ମାତ୍ର ୫ ଘଣ୍ଟା ବିତାଇ ସ୍ବଦେଶ ଫେରିଥିଲେ। ୨୦୦୬ ମାର୍ଚ୍ଚ ୧ରେ ଜର୍ଜ ଡବ୍ଲ୍ୟୁ ବୁଶ୍ ଭାରତ ଗସ୍ତରେ ଆସି ମାର୍ଚ୍ଚ ୩ ପର୍ଯ୍ୟନ୍ତ ରହିଥିଲେ। ଏହି ସମୟରେ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କ ସହିତ କେତେକ ବୁଣାମଣା ମଧ୍ୟ ହୋଇଥିଲା। ଭାରତ ପରମାଣୁ ଚୁକ୍ତିରେ ସ୍ବାକ୍ଷର କରିଥିଲା। ୨୦୧୦ ନଭେମ୍ବର ୬ରେ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କ କାର୍ଯ୍ୟକାଳ ସମୟରେ ଆମେରିକା ରାଷ୍ଟ୍ରପତି ବାରାକ ଓବାମା ଭାରତ ଗସ୍ତରେ ଆସିଥିଲେ। ସେ ୯ ତାରିଖ ପର୍ଯ୍ୟନ୍ତ ଭାରତରେ ବିତାଇଥିଲେ। ସେହିପରି ବାରାକ ଓବାମା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସରକାରରେ ୨୦୧୫ ଜାନୁୟାରୀ ୨୫ରୁ ୨୭ ପର୍ଯ୍ୟନ୍ତ ଭାରତ ଗସ୍ତରେ ଆସି ସାଧାରଣତନ୍ତ୍ର ଦିବସରେ ମୁଖ୍ୟ ଅତିଥି ହୋଇଥିଲେ। ଏବେ ଟ୍ରମ୍ପ୍ ୭ମ ଆମେରିକା ରାଷ୍ଟ୍ରପତି ଭାବେ ଭାରତ ଗସ୍ତରେ ଆସୁଛନ୍ତି।