୭୫ କେଜି ଗଞ୍ଜେଇ ଜବତ, ୩ ଆନ୍ତଃ ରାଜ୍ୟ ବ୍ୟବସାୟୀ ଗିରଫ

ନୟାଗଡ଼ ଅଫିସ,୧୧।୪: ନୟାଗଡ଼ ଟାଉନ ଥାନା ପୋଲିସ ମଙ୍ଗଳବାର ଭୋର ସମୟରେ ଖୋର୍ଦ୍ଧା ରାସ୍ତାର ସତ୍‌ସଙ୍ଗ ବିହାରଠାରୁ ଏକ କାର ସହ ୭୫ କେଜି ଗଞ୍ଜେଇ ଜବତ କରିଛି । ଏହି ଘଟଣାରେ ପଶ୍ଚିମବଙ୍ଗ ନଦିଆ ଜିଲା ହରିଆର୍ଟ ଥାନା ନଗଡ଼ ଖୁଆରା ଗାଁର ଅଲେଖ ମଣ୍ଡଳ (୨୯), ମହାଦେବପୁର ଗାଁର ସୁମନ୍ତ ଦେବନାଥ (୨୬), ହାପାଣିଆ ଗାଁର ସଞ୍ଜୟ ସରକାର (୩୦) ପ୍ରମୁଖ ୩ ଆନ୍ତଃ ରାଜ୍ୟ ଗଞ୍ଜେଇ ବ୍ୟବସାୟୀଙ୍କୁ ଗିରଫ କରାଯାଇଛି। ଜବତ ଗଞ୍ଜେଇ ଫୁଲବାଣୀରୁ କୋଲକାତା ଯାଉଥିବା ଜଣାପଡ଼ିଛି।