୭୫ ବର୍ଷରେ ସୁଭାଷ ଘାଇ: ଅଭିନେତା ହେବାକୁ ଆସି ପାଲଟି ଗଲେ ନିର୍ଦ୍ଦେଶକ

ମୁମ୍ବାଇ: ବଲିଉଡ୍‌କୁ ଅଭିନେତା ହେବା ପାଇଁ ଆସି ଶେଷରେ ସୁଭାଷ ଘାଇ ପାଲଟି ଥିଲେ ନିର୍ଦ୍ଦେଶକ। ଶୁକ୍ରବାର ସେ ୭୫ତମ ଜନ୍ମ ଦିନ ପାଳନ କରୁଛନ୍ତି। ୧୯୪୫ ଜାନୁୟାରୀ ୨୪ରେ ନାଗପୁରଠାରେ ତାଙ୍କର ଜନ୍ମ ହୋଇଥିଲା। ଦିଲ୍ଲୀରେ ଗ୍ରାଜୁଏସନ୍‌ କରିବା ପରେ ସେ ପୁଣେର ଫିଲ୍ମ ଆଣ୍ଡ ଟେଲିଭିଜନ ଇନଷ୍ଟିଚ୍ୟୁଟରେ ଅଧ୍ୟୟନ କରିଥିଲେ। ଫିଲ୍ମ କାଳିଚରଣରେ ସେ ପ୍ରଥମ କରି ନିର୍ଦ୍ଦେଶନା ଦେଇଥିଲେ। ଏହା ବକ୍ସ ଅଫିସ୍‌ରେ ହିଟ୍‌ ହୋଇଥିଲା। ଏଥିରେ ଶତ୍ରୁଘ୍ନ ସିହ୍ନା ଲିଡ୍‌ ରୋଲ୍‌ରେ ଥିଲେ। ସୁଭାଷ ଏମ୍‌ ଅକ୍ଷରରୁ ଆରମ୍ଭ ହେଉଥିବା ଅଭିନେତା ଏବଂ ଅଭିନେତ୍ରୀଙ୍କୁ ଅଧିକ ପସନ୍ଦ କରିଥାନ୍ତି। ସେଥିପାଇଁ ସେ ମାଧୁରୀ ଦୀକ୍ଷୀତ୍‌, ମନୀଷା କୋଇରାଲାଙ୍କ ସହିତ ଅଧିକ ଫିଲ୍ମରେ କାମ କରିଛନ୍ତି। ସେ ମହିମା ଚୌଧୁରୀ ଏବଂ ମୀନାକ୍ଷୀ ଶେଷାଦ୍ରୀଙ୍କ ନାମ ପରିବର୍ତ୍ତନ କରିଥିଲେ। ମହିମାଙ୍କ ପ୍ରକୃତ ନାମ ରିତୁ ଚୌଧୁରୀ ଥିବାବେଳେ ମୀନାକ୍ଷୀଙ୍କ ନାମ ଶଶିକଳା ଶେଷାଦ୍ରୀ ଥିଲା। ସେହିପରି ଇନ୍ଦ୍ରାଣୀ ମୁଖାର୍ଜୀଙ୍କ ନାମ ସେ ମିଷ୍ଟି ରଖିଥିଲେ। ସୁଭାଷଙ୍କ ସ୍ତ୍ରୀଙ୍କ ନାମ ମୁକ୍ତା ଏବଂ ତାଙ୍କ ବ୍ୟାନର ନାମ ମୁକ୍ତା ଆର୍ଟସ୍‌।

Share