୭୫ ମିଟର ଉଚ୍ଛେଦ ପାଇଁ ମାପଚୁପ ଆରମ୍ଭ

ପୁରୀ ଅଫିସ, ୧୭-୯:ଶ୍ରୀମନ୍ଦିରର ସୁରକ୍ଷା ଓ ସୌନ୍ଦର୍ଯ୍ୟକରଣ ପାଇଁ ମେଘନାଦ ପାଚେରିଠାରୁ ୭୫ ମିଟର ପର୍ଯ୍ୟନ୍ତ ଅଞ୍ଚଳକୁ ଖାଲି କରାଯିବ। ଏହି ପରିସୀମା ଭିତରେ ଥିବା ମଠ, ଧର୍ମଶାଳା, ବାସଗୃହ, ଦୋକାନ, ହୋଟେଲ, ଲଜିଂ ସବୁ ଭଙ୍ଗାଯିବ। ଏଥିପାଇଁ ପ୍ରଥମେ ସିଂହଦ୍ୱାରକୁ ଲାଗିରହିଥିବା ସରକାରୀ ଏବଂ ବେସରକାରୀ ନିର୍ମାଣକୁ ପ୍ରଶାସନ ଉଚ୍ଛେଦ କରିଦେଇଛି। ଲଙ୍ଗୁଳି, ଏମାର ଏବଂ ବଡ଼ ଆଖଡା ମଠକୁ ମଧ୍ୟ ଭାଙ୍ଗିସାରିଛି। ଏବେ ୭୫ ମିଟରକୁ ଟାର୍ଗେଟ କରି ଆଗକୁ ବଢିଛି ପ୍ରଶାସନ। ଏଥିଲାଗି ମାପଚୁପ ଆରମ୍ଭ ହୋଇଛି।
ପୁରୀକୁ ବିଶ୍ୱ ଐତିହ୍ୟ ସହର କରିବାକୁ ଅଣ୍ଟା ଭିଡ଼ିଛନ୍ତି ରାଜ୍ୟ ସରକାର। ଏଥିପାଇଁ ଏକାଧିକ ପ୍ରକଳ୍ପ ପରିକଳ୍ପନା କରାଯାଇଛି। ପ୍ରାଥମିକ ପର୍ଯ୍ୟାୟରେ ମେଘନାଦ ପାଚେରି ପାର୍ଶ୍ୱସ୍ଥ ସରକାରୀ ଓ ବେସରକାରୀ ନିର୍ମାଣ ଉଚ୍ଛେଦ ପରେ ବିପଦସଙ୍କୁଳ କୋଠା ଭଙ୍ଗାଯାଇଛି। ଲଙ୍ଗୁଳି ମଠ, ଏମାର ଏବଂ ବଡ଼ ଆଖଡା ମଠ ମାଟିରେ ମିଶିଛି। ରାସ୍ତା ନ ଥିବାରୁ ଉଚ୍ଛେଦ ମଠରେ ଉପାସିତ ଠାକୁରଙ୍କ ଦର୍ଶନ ପାଇଁ ଭକ୍ତମାନେ ଯାଇପାରୁ ନ ଥିଲେ। ତେଣୁ ଉଚ୍ଛେଦ ସ୍ଥଳକୁ ସମତୁଲ କରି ଟାଇଲ ବିଛାଇଛି ପ୍ରଶାସନ। ଏହାପରେ ୭୫ ମିଟର ଉଚ୍ଛେଦ ପାଇଁ ସୋମବାର ପୁରୀ ଉପଜିଲାପାଳ ଭବତାରଣ ସାହୁଙ୍କ ଉପସ୍ଥିତିରେ ଆର୍‌ଆଇ, ତହସିଲ ଅଫିସ କର୍ମଚାରୀମାନେ ଶ୍ରୀମନ୍ଦିର ପୂର୍ବ ପାର୍ଶ୍ୱ ଅର୍ଥାତ୍‌ ବଡ଼ ଆଖଡା ମଠ ପଛପଟୁ ବଡ଼ଦାଣ୍ଡ ଆଡ଼କୁ ମାପଚୁପ କରିଛନ୍ତି। ଏହି ସମୟରେ ରାଜ୍ୟ ସରକାରଙ୍କ ଦ୍ୱାରା ନିଯୁକ୍ତ ୫ଜଣ ଶିକ୍ଷାନବିସ ଆଇଏଏସ୍‌ ଅଫିସର ଉପସ୍ଥିତ ରହି କାର୍ଯ୍ୟ ଅନୁଧ୍ୟାନ କରିଥିଲେ। ଏ ନେଇ ଉପଜିଲାପାଳ ସାହୁ କହିଛନ୍ତି, ପୂର୍ବରୁ ଉଚ୍ଛେଦ ସ୍ଥଳର ସୌନ୍ଦର୍ଯ୍ୟକରଣ ଉପରେ ପ୍ରାଥମିକତା ଦିଆଯାଇ କାମ ସରିଛି। ଏହାଦ୍ୱାରା ଭକ୍ତମାନେ ସୁରୁଖୁରୁରେ ବୁଲି ଦର୍ଶନ କରିପାରିବେ। ୭୫ ମିଟର ଉଚ୍ଛେଦ ପାଇଁ ଶ୍ରୀମନ୍ଦିର ପୂର୍ବପାର୍ଶ୍ୱ ମାପ କରାଯାଇଛି। ପର୍ଯ୍ୟାୟକ୍ରମେ ଚତୁଃପାର୍ଶ୍ୱ ମାପଚୁପ କରାଯିବ।

Share