୭୫ ମିଟର ଉଚ୍ଛେଦ ପ୍ରସଙ୍ଗ: ଖୁବ୍‌ଶୀଘ୍ର ସରକାରଙ୍କୁ ରିପୋର୍ଟ ଦିଆଯିବ; ଦେବଦେବୀଙ୍କ ବିଜେସ୍ଥଳୀ, ଗାଦିଘର ସୁରକ୍ଷିତ ରଖାଯିବ

ପୁରୀ ଅଫିସ, ୧ା୯: ଶ୍ରୀମନ୍ଦିରର ସୁରକ୍ଷା ଏବଂ ପୁରୀର ବିକାଶ ପାଇଁ ମେଘନାଦ ପ୍ରାଚୀର ଚତୁଃପାର୍ଶ୍ୱସ୍ଥ ୭୫ ମିଟର ପରିଧି ମଧ୍ୟରେ ଥିବା ସବୁ ନିର୍ମାଣ ଉଚ୍ଛେଦ କରାଯିବ। ଏହି ପରିସୀମା ମଧ୍ୟରେ ଥିବା ମଠ, ମନ୍ଦିରର ଗାଦିଘର ଏବଂ ଦେବଦେବୀଙ୍କ ବିଜେସ୍ଥଳୀକୁ ସୁରକ୍ଷିତ ରଖିବା ଲାଗି ନିଷ୍ପତ୍ତି ହୋଇଛି। ତେବେ ଏହା ପୂର୍ବରୁ ଅସୁରକ୍ଷିତ ଥିବା ମଠକୁ ପ୍ରଶାସନ ପକ୍ଷରୁ ଉଚ୍ଛେଦ କରାଯାଉଛି। ଅନ୍ୟପକ୍ଷରେ ୭୫ମିଟର ଉଚ୍ଛେଦ ପାଇଁ ସର୍ଭେ କାର୍ଯ୍ୟ ଜାରି ରହିଛି। ତେବେ ଏହି ଉଚ୍ଛେଦର ରୂପରେଖ, କ୍ଷତିଗ୍ରସ୍ତଙ୍କ ଥଇଥାନ ସମ୍ପର୍କିତ ପ୍ୟାକେଜ ସଂକ୍ରାନ୍ତରେ ରାଜ୍ୟ ସରକାରଙ୍କୁ ଖୁବ୍‌ଶୀଘ୍ର ରିପୋର୍ଟ ଦିଆଯିବ ବୋଲି ଜିଲାପାଳ ବଲୱନ୍ତ ସିଂ କହିଛନ୍ତି।

ଶନିବାର ଗଣମାଧ୍ୟମକୁ ସୂଚନା ଦେଇ ଜିଲାପାଳ କହିଛନ୍ତି, ୭୫ମିଟର ଉଚ୍ଛେଦର ଥଇଥାନ ପ୍ୟାକେଜ ପ୍ରସ୍ତୁତ କରି ତାହାର ରିପୋର୍ଟ ଦେବାକୁ ସରକାରଙ୍କ ନିର୍ଦ୍ଦେଶ ରହିଛି। ବର୍ତ୍ତମାନ ଏହାର କାମ ଚାଲିଛି। ଖୁବଶୀଘ୍ର ରାଜ୍ୟ ସରକାରଙ୍କୁ ଥଇଥାନ ପ୍ୟାକେଜ ରିପୋର୍ଟ ପ୍ରଦାନ କରାଯିବ। କୌଣସି କ୍ଷତିଗ୍ରସ୍ତ ଯେପରି ଥଇଥାନରୁ ବଞ୍ଚତ୍ତ ନ ହେବେ ତାହା ଉପରେ ଗୁରୁତ୍ୱ ଦିଆଯାଇ ତାଲିକା ପ୍ରସ୍ତୁତ ହେଉଛି। ତେବେ ବର୍ତ୍ତମାନ ଏମାର ମଠ ଉଚ୍ଛେଦ କାର୍ଯ୍ୟ ଚାଲିଛି। ହେଲେ ମଠ ମହନ୍ତ ଅସୁରକ୍ଷିତ କୋଠାରେ ରହିଥିବା ପ୍ରଶ୍ନରେ ଜିଲାପାଳ କହିଥିଲେ, ଉଚ୍ଛେଦ ସମୟରେ ଦେବଦେବୀଙ୍କ ବିଜେସ୍ଥଳୀ ଏବଂ ଗାଦିଘରକୁ ସୁରକ୍ଷିତ ରଖାଯିବ। ଲଙ୍ଗୁଳି ମଠରେ ଯେପରି ଠାକୁରଙ୍କ

ବିଜେସ୍ଥଳୀକୁ ବାଦ୍‌ ଦିଆଯାଇ ଭଙ୍ଗାଗଲା ଏମାର ମଠ କ୍ଷେତ୍ରରେ ତାହା ହିଁ ହେବ। ଏମାର ମଠରେ ଠାକୁର ପୂଜା ପାଉଥିବା ସ୍ଥାନ ଅଧିକ ଅସୁରକ୍ଷିତ ଥିବାରୁ ତାହାକୁ ସତର୍କତାର ସହ ଭାଙ୍ଗିବାକୁ ପଡ଼ିବ। ମହନ୍ତଙ୍କ ବ୍ୟକ୍ତିଗତ ଜୀବନ ରହିଛି। ତେଣୁ ମୁଖ୍ୟ କୋଠା ଭଙ୍ଗାଯିବା ପୂର୍ବରୁ ଠିକ୍‌ ନିଷ୍ପତ୍ତି ନିଆଯିବ। ଏମାର ମଠରେ ପୂଜା ପାଉଥିବା ଦେବଦେବୀଙ୍କ ବିଜେସ୍ଥଳୀ ଯେଭଳି ସୁରକ୍ଷିତ ରଖାଯିବ ସେଥିନେଇ ବୈଷୟିକ କମିଟି ଭଲ ଭାବେ ଯାଞ୍ଚ କରିବା ପରେ ଭଙ୍ଗାଯିବ ବୋଲି ଜିଲାପାଳ ପ୍ରକାଶ କରିଛନ୍ତି।

Share