୭୫ ଲକ୍ଷ ବ୍ୟୟରେ ବଡବିଲରେ ନିର୍ମାଣ ହେବ ବିଶାଳ ଘଣ୍ଟାସ୍ତମ୍ଭ

ବଡବିଲ,୧୧।୯(ସ୍ବ.ପ୍ର.): କେନ୍ଦୁଝର ଜିଲା ବଡବିଲ ସହର ମଧ୍ୟଭାଗରେ ଥିବା ପୂର୍ତ୍ତ ଓ ଗୃହ ବିଭାଗ ଡାକବଙ୍ଗଳା ପରିସରରେ ସୁଦୂର ଦୃଶ୍ୟମାନ ଲାଗି ଏକ ଘଣ୍ଟାସ୍ତମ୍ଭର ନିର୍ମାଣ ନିମନ୍ତେ ବୁଧବାର ଚମ୍ପୁଆ ଉପଜିଲାପାଳ ପାରୁଲ ପଟାୱାରୀ ଶିଳାନ୍ୟାସ କରିଛନ୍ତି। ଉପଜିଲାପାଳ ପଟାୱାରୀ ପ୍ରଥମେ ଶିଳାନ୍ୟାସ ନିମନ୍ତେ ଏକ ଫଳକ ଉନ୍ମୋଚନ କରିବା ପରେ ଇଟା ସିମେଣ୍ଟ ଦେଇ ଶିଳାନ୍ୟାସ କରିଥିଲେ। ସିଏସଆର ଯୋଜନାରେ ରୁଙ୍ଗଟା କମ୍ପାନୀା ମୋଟ ୭୫ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ଏହି ସ୍ତମ୍ଭର ନିର୍ମାଣ କାର୍ଯ୍ୟ ଖୁବ୍‌ ଶୀଘ୍ର ଆରମ୍ଭ ହେବ। ଡିସେମ୍ବର ଶେଷ ସୁଦ୍ଧା ଏହାର ଉଦ୍‌ଘାଟନର ଲକ୍ଷ୍ୟ ରଖାଯାଇଥିବା ଏଚ୍‌ଆର ଓ ଆଡମିନ୍‌ ଯୁଗ୍ମ ସଭାପତି ରାମୁ ଅଗ୍ରୱାଲ ସୂଚନା ଦେଇଛନ୍ତି। ଏହି କାର୍ଯ୍ୟକୁ ପୌରପରିଷଦ ଓ ପୂର୍ତ୍ତ ବିଭାଗୀୟ ଅଧିକାରୀ ତଦାରଖ କରିବେ ବୋଲି ଜଣାପଡିଛି। ଏଥିରେ ଅନ୍ୟମାନଙ୍କ ମଧ୍ୟରେ ବଡବିଲ ତହସିଲଦାର କ୍ଷୀରୋଦ କୁମାର ବେହେରା, ପୌରନିର୍ବାହୀ ଅଧିକାରୀ ଅଭିଷେକ ପଣ୍ଡା, ହୀରକ ମଜୁମଦାର, ଲଳିତ ନାରାୟଣ ରାଉତ ପ୍ରମୁଖ ଉପସ୍ଥିତ ଥିଲେ।