୭୭ ବର୍ଷର ମଡେଲ

ଆର୍ଥିକ ପରିସ୍ଥିତି କେବେ କାହାକୁ କେଉଁଠି ପହଞ୍ଚାଇଥାଏ ତାହା କହିବା ମୁସ୍କିଲ। ତେବେ ଦକ୍ଷିଣ କୋରିଆର ୭୭ ବର୍ଷୀୟା ମହିଳା ଚୋଇ ସୁନ ଏବେ ଯୁବବର୍ଗଙ୍କ ପାଇଁ ପ୍ରେରଣା ପାଲଟି ଯାଇଛନ୍ତି। ଦିନେ ହସ୍ପିଟାଲରେ କାମ କରୁଥିବା ଚୋଇ ସମୟକ୍ରମେ କରଜରେ ବୁଡି ଯାଇଥିଲେ। ଏପଟେ ଯାହା ପାରିଶ୍ରମିକ ମିଳୁଥିଲା ତାହା କରଜ ସୁଝିବାରେ ଚାଲି ଯାଉଥିଲା। ଯୁବାବସ୍ଥାରୁ ମଡେଲ ହେବାର ଇଚ୍ଛା ରଖିଥିବା ଚୋଇ ଶେଷରେ ଭାବିଲେ ପରିଣତ ବୟସରେ ବି ସେ ମଡେଲ ହେବେ। ଆଉ ଏଥିରୁ ଅର୍ଥ ମଧ୍ୟ ରୋଜଗାର କରିବେ। ଏହାପରେ ସେ ଏକ ଟେଲିଭିଜନ ବିଜ୍ଞାପନ ଦ୍ୱାରା ପ୍ରେରଣା ପାଇ ମଡଲିଂ କରିବା ଆରମ୍ଭ କଲେ। ଏହାପରେ ସେ ଦକ୍ଷିଣ କୋରିଆର ସବୁଠାରୁ ବୟସ୍କା ମଡେଲର ମାନ୍ୟତା ପାଇଲେ।

ତେବେ ସିଓଲ ଫ୍ୟାଶନ ଓ୍ବିକ୍‌ରେ ର଼୍ୟାମ୍ପରେ ଚାଲିବା ପରେ ସେ ଆସିଲେ ଚର୍ଚ୍ଚାକୁ। ଗୋଟିଏ ପଟେ ହସ୍ପିଟାଲ ଚାକିରି ଅନ୍ୟପଟେ ମଡେଲିଂ ତାଙ୍କୁ ଆର୍ଥିକ ବୋଝରୁ ସାମାନ୍ୟ ହାଲକା କଲା। ତେବେ ସ୍ବାମୀ ଛାଡିଦେବା ପରେ ଚୋଇ ତାଙ୍କ ପିଲାମାନଙ୍କୁ ଏକାକି ମଣିଷ କରୁ କରୁ କରଜରେ ବୁଡି ଯାଇଥିବା କୁହନ୍ତି। ଆଉ ଏବେ ମଡେଲିଂ ପରେ ସେ ଅର୍ଥାଭାବ ସମସ୍ୟାରୁ ସାମାନ୍ୟ ମୁକୁଳି ପାରିଥିବା କହିଛନ୍ତି। ପରିଣତ ବୟସରେ ଯେ ଲୋକେ ତାଙ୍କୁ ମଡେଲ ଭାବେ ଗ୍ରହଣ କରିଛନ୍ତି ତାହା ତାଙ୍କ ପାଇଁ ସବୁଠାରୁ ବଡ ପୁରସ୍କାର ବୋଲି ସେ କୁହନ୍ତି।

Share