୭ କ୍ରଶର ଉପରେ ଚଢ଼ାଉ

ସଜନାଗଡ଼, ୧୯।୧୦(ଡି.ଏନ.ଏ.)-ବାଲେଶ୍ୱର ଜିଲା ନୀଳଗିରି ପ୍ରଶାସନ ପକ୍ଷରୁ ଶୁକ୍ରବାର ମିତ୍ରପୁର ଅଞ୍ଚଳରେ ଥିବା ୭ଟି ପଥର କ୍ରଶର ଉପରେ ଚଢ଼ାଉ କରାଯାଇଛି। ନୀଳଗିରି ଉପ-ଜିଲାପାଳ ହରିଶ୍‌ ଚନ୍ଦ୍ର ଜେନା, ତହସିଲଦାର ସୁଶ୍ରୀତା ଟୁଡୁ, ଅତିରିକ୍ତ ତହସିଲଦାର ରାକେଶ କୁମାର ପଣ୍ଡା, ପ୍ରଦୂଷଣ ବିଭାଗର ଅଧିକାରୀ ସମେତ ମିତ୍ରପୁର ଆର୍‌ଆଇ, ମିତ୍ରପୁରସ୍ଥିତ ଶାନ୍ତନୁ କ୍ରସର, ଚଣ୍ଡି କ୍ରସର, କାଠଗୋଚ୍ଛିରେ ଥିବା ୩ଟି କ୍ରଶର ଏବଂ ମଛୁଆରେ ଥିବା ୨ଟି କ୍ରଶର ଉପରେ ଚଢ଼ାଉ କରି ସମସ୍ତ କ୍ରସରଗୁଡ଼ିକର ପ୍ରଦୂଷଣ, ଷ୍ଟକ୍‌ ରେଜିଷ୍ଟ୍ରାର, କ୍ରସର ଅବସ୍ଥିତ ଏବଂ ଗଚ୍ଛିତ କଞ୍ଚାମାଲ୍‌ର ରେଜିଷ୍ଟରକୁ ତଦନ୍ତ କରିଛନ୍ତି। ଏମାନଙ୍କ ବିରୋଧରେ ପ୍ରଶାସନ ପକ୍ଷରୁ କାରଣ ଦର୍ଶାଅ ନୋଟିସ୍‌ ଜାରି ହୋଇଛି। ଆସନ୍ତା ସୋମବାର ସମସ୍ତ କାଗଜପତ୍ର ଦାଖଲ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଯଦି କୌଣସି କାଗଜପତ୍ରରେ ତ୍ରୁଟି ରହିଥାଏ ତେବେ ପ୍ରଶାସନ ପକ୍ଷରୁ ଜରିମାନା ଆଦାୟ କରାଯିବ ବୋଲି ସୂଚନା ମିଳିଛି।