ରାଜନଗର,୧୩।୩(ଡି.ଏନ୍.ଏ.): କେନ୍ଦ୍ରାପଡ଼ା ଜିଲା ରାଜନଗର ବ୍ଲକ କଂଗ୍ରେସ କମିଟି ପକ୍ଷରୁ ୭ ଦଫା ଦାବିରେ ଶୁକ୍ରବାର ମଧ୍ୟାହ୍ନରେ ରାଜନଗର ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ କରାଯାଇଛି। ପୂର୍ବତନ ବିଧାୟକ ଅଂଶୁମାନ ମହାନ୍ତିଙ୍କ ନେତୃତ୍ୱରେ ଶତାଧିକ କର୍ମୀ କଂଗ୍ରେସ କାର୍ଯ୍ୟାଳୟଠାରୁ ବାହାରି ରାଜନଗର ବଜାର ପରିକ୍ରମା କରିଥିଲେ। ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ବିଜୁ ପକ୍କା ଘର ଆବଣ୍ଟନରେ ଦୁର୍ନୀତି, ଇନ୍ଦିରା ଆବାସ ଶାସକ ଦଳର କର୍ମୀଙ୍କୁ ପ୍ରଦାନ, ଉପଯୁକ୍ତ ହିତାଧିକାରୀଙ୍କୁ ରାଶନ କାର୍ଡ ପ୍ରଦାନ ଆଦି ୭ ଦଫା ଦାବିନେଇ ଏହି ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଏଥିରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ଜିଲା କଂଗ୍ରେସ କମିଟି ସଭାପତି ଚିନ୍ମୟ ବେହୁରା, ବରିଷ୍ଠ ଆଇନଜୀବୀ ଧରଣୀଧର ନାୟକ ପ୍ରମୁଖ ଉପସ୍ଥିତ ଥିଲେ।