୭ ଦିନ ମଧ୍ୟରେ ଅନିୟମିତତାର ହେବ ତଦନ୍ତ: ଅନଶନରୁ ଓହରିଲା ସିପିଆଇ

ବନ୍ତ, ୧୧।୧୦ (ଡି.ଏନ.ଏ.)- ଭଦ୍ରକ ଜିଲା ବନ୍ତ ବ୍ଲକ ରାମଚନ୍ଦ୍ରପୁର ପଞ୍ଚାୟତରେ ପ୍ରଧାନମନ୍ତ୍ରୀ ଆବାସ, ବିଜୁ ପକ୍କାଘର, ସାମାଜିକ ସୁରକ୍ଷା ଆଦି ଯୋଜନାରେ ବିଭିନ୍ନ କାର୍ଯ୍ୟରେ ବ୍ୟାପକ ଅନିୟମିତତା ପ୍ରତିବାଦରେ ଗତ ବୁଧବାରଠାରୁ ରାମଚନ୍ଦ୍ରପୁର ପଞ୍ଚାୟତ ସିପିଆଇ କମିଟି ପକ୍ଷରୁ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଅନଶନ ଜାରି ରହିଥିଲା। ଶୁକ୍ରବାର ପ୍ରଶାସନ ପକ୍ଷରୁ ତଦନ୍ତ ପ୍ରତିଶ୍ରୁତି ମିଳିବା ପରେ ସିପିଆଇ ଅନଶନରୁ ଓହରିଛି।
ପ୍ରକାଶ ଯେ, ଗୁରୁବାର ସୁଦ୍ଧା କୌଣସି ପ୍ରଶାସନିକ ଅଧିକାରୀ ଅନଶନକାରୀଙ୍କ ସହ ଆଲୋଚନା କରି ନ ଥିଲେ। ଫଳରେ ଶୁକ୍ରବାରଠାରୁ ଭଦ୍ରକ-ଆନନ୍ଦପୁର ୫୩ ନଂ. ରାଜ୍ୟ ରାଜପଥକୁ ଅବରୋଧ କରିବା ପାଇଁ ସିପିଆଇ ନିଷ୍ପତ୍ତି ନେଇଥିଲା। ଶୁକ୍ରବାର ଭଦ୍ରକ ଅତିରିକ୍ତ ଜିଲା ପ୍ରକଳ୍ପ ସଂଯୋଜକ ରାଜେନ୍ଦ୍ର ପ୍ରସାଦ ପଣ୍ଡା ଅନଶନ ସ୍ଥଳରେ ପହଞ୍ଚି ଅନଶନକାରୀଙ୍କ ସହ ଆଲୋଚନା କରିଥିଲେ। ନିଷ୍ପତ୍ତି କ୍ରମେ ବିଡିଓଙ୍କ କକ୍ଷରେ ସିପିଆଇର ନେତୃତ୍ୱ ଓ ପ୍ରଶାସନିକ ଅଧିକାରୀଙ୍କ ବୈଠକ ବସିଥିଲା। ଅତିରିକ୍ତ ପ୍ରକଳ୍ପ ନିର୍ଦ୍ଦେଶକ, ବିଡିଓ ରେବେକା ବିଲୁଙ୍ଗ, ଥାନାଧିକାରୀ ମୀନା ବିନ୍ଧାଣୀ, ସିପିଆଇ ଜିଲା ସମ୍ପାଦକ ଶୁଭେନ୍ଦ୍ର ପ୍ରତାପ ମହାନ୍ତି, ବରିଷ୍ଠ ସିପିଆଇ ନେତା ଗୋପବନ୍ଧୁ ସେଠୀ, ସିପିଆଇର ଜୋନ୍‌ ସମ୍ପାଦକ ରମେଶ ଜେନା, ସହସମ୍ପାଦକ ପରମେଶ୍ୱର ବାରିକ, ଫକୀର ବିଶ୍ୱାଳ, ସୁବାସ ଚନ୍ଦ୍ର ବେହେରା, ମାର୍କଣ୍ଡ ବାରିକ ଓ ରବୀନ୍ଦ୍ର ନାୟକ ପ୍ରମୁଖ ଉପସ୍ଥିତ ଥିଲେ। ଆଗାମୀ ୭ ଦିନ ମଧ୍ୟରେ ଅନିୟମିତତା ନେଇ ତଦନ୍ତ କରାଯାଇ ସମ୍ପୃକ୍ତ ଅଧିକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଅତିରିକ୍ତ ପ୍ରକଳ୍ପ ନିର୍ଦ୍ଦେଶକ ପଣ୍ଡା ପ୍ରତିଶ୍ରୁତି ଦେବା ପରେ ଅନଶନ ପ୍ରତ୍ୟାହୃତ ହୋଇଥିଲା।