୭ ଦେଶର ବିପର୍ଯ୍ୟୟ ପ୍ରଶମନ ପ୍ରାଧିକରଣ: ପ୍ରତିନିଧି ମଣ୍ଡଳୀଙ୍କ ସୂର୍ଯ୍ୟମନ୍ଦିର ପରିଦର୍ଶନ

କୋଣାର୍କ,୧୬।୧୧(ଡି.ଏନ୍‌.ଏ.): ଜାତୀୟ ବିପର୍ଯ୍ୟୟ ପ୍ରଶମନ ପ୍ରାଧିକରଣର ସଭ୍ୟ ଲ୍ୟୁଟନାଣ୍ଟ ଜେନେରାଲ ଏନ୍‌ସି ମାରୁଆଙ୍କ ନେତୃତ୍ୱରେ ଆସିଥିବା ୭ଦେଶର ବିପର୍ଯ୍ୟୟ ପ୍ରଶମନ ପ୍ରାଧିକରଣ ପ୍ରତିନିଧି ଶୁକ୍ରବାର ପ୍ରଥମେ ରାମଚଣ୍ଡିଠାରେ ଫନୀରେ କ୍ଷତିଗ୍ରସ୍ତ ଅଞ୍ଚଳରେ ବୃକ୍ଷରୋପଣ କରିଛନ୍ତି। ପରେ ଜେନେରାଲ ମାରୁଆଙ୍କ ନେତୃତ୍ୱରେ ଭାରତ, ଭୁଟାନ, ଥାଇଲାଣ୍ଡ, ଶ୍ରୀଲଙ୍କା, ନେପାଳ, ମ୍ୟାନମାର ଓ ବାଂଲାଦେଶ ଆଦି ୭ଟି ରାଷ୍ଟ୍ରର ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ ପ୍ରତିନିଧିମାନେ କୋଣାର୍କ ସୂଯର୍‌ୟମନ୍ଦିର ପରିଦର୍ଶନ ପାଇଁ ଆସିଥିଲେ। ମୁଖ୍ୟଫାଟକରେ ଏଏସଆଇର ଭୁବନେଶ୍ୱର ସର୍କଲ ସୁପରିଣ୍ଟେଣ୍ଡେଣ୍ଟ ଅରୁଣ କୁମାର ମଲ୍ଲିକ ସେମାନଙ୍କୁ ସ୍ବାଗତ କରିଥିଲେ। ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଐତିହ୍ୟ, ସଂସୃତି ଓ କଳାକୃତିର ସଂରକ୍ଷଣ ପାଇଁ ଆସନ୍ତା ଫେବୃଆରୀ ୧୧ରୁ ୧୩ତାରିଖ କୋଣାର୍କଠାରେ ହେବାକୁ ଥିବା ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା ସମ୍ବନ୍ଧୀୟ ମକଡ୍ରିଲର ପ୍ରାକ ପ୍ରସ୍ତୁତି ଓ କ୍ଷେତ୍ର ଚିହ୍ନଟ ନେଇ ସୂର୍ଯ୍ୟମନ୍ଦିର ପରିଦର୍ଶନ କରିଥିଲେ। ଏହି ପରିପ୍ରେକ୍ଷିରେ ସୁପରିଣ୍ଟେଣ୍ଡଣ୍ଟ ମଲ୍ଲିକ ସୂର୍ଯ୍ୟମନ୍ଦିରର ସ୍ଥିତି ଓ ଏହାର ପାରିପାର୍ଶ୍ୱକ ବିକାଶ ଦିଗରେ କରାଯାଉଥିବା କାର୍ଯ୍ୟ ବିଷୟରେ ଅବଗତ କରାଇଥିଲେ। ୧୯୯୯ ଠାରୁ ୨୦୧୯ମସିହା ମଧ୍ୟରେ ହୋଇଥିବା ପ୍ରାକୃତିକ ବିପର୍ଯ୍ୟୟ ଦ୍ୱାରା ଐତିହ୍ୟ ଓ ସଂସ୍କୃତି ବିଶେଷ ଭାବେ କ୍ଷତିଗ୍ରସ୍ତ ହୋଇଛି। ଏଥିପାଇଁ ଜଳବାୟୁ ପରିବର୍ତ୍ତନ ମୁଖ୍ୟ ଦାୟୀ ବୋଲି ଲ୍ୟୁଟନାଣ୍ଟ ଜେନେରାଲ ମାରୁଆ ପରିଦର୍ଶନ ସମୟରେ କହିଛନ୍ତି। ଏହି ପ୍ରତିନଧି ଦଳରେ ଜାତୀୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣର ମହାନିର୍ଦ୍ଦେଶକ ସତ୍ୟନାରାୟଣ ପ୍ରଧାନ, ବାଂଲାଦେଶ ଆଞ୍ଚଳିକ ନିର୍ଦ୍ଦେଶିକା ନହିଦ ସୁଲତାନା, ଭୁଟାନର କାର୍ଯ୍ୟକ୍ରମ ଅଧିକାରୀ ସରିଫ ଦରଜି, ମ୍ୟାନମାରର ନିର୍ଦ୍ଦେଶକ ନିଲାର ହୁନ, ନେପାଳ ଅନୁସଚିବ ବିକେ ଆଚାର୍ଯ୍ୟ ଏବଂ ଶ୍ରୀଲଙ୍କା ବିପର୍ଯ୍ୟୟ ପରିଚାଳନା ନିର୍ଦ୍ଦେଶକ ଏଚପି ସୁମନ ଶେଖର ସମେତ ୭ଗୋଟି ଦେଶର ୨୧ଜଣ ପ୍ରତିନିଧି ମଣ୍ଡଳୀ ଉପସ୍ଥିତ ଥିଲେ।

Share