୭ ନଂ ଓ୍ବାର୍ଡରେ ପରିମଳ ବ୍ୟବସ୍ଥା ବିପର୍ଯ୍ୟସ୍ତ

ଯୋଡ଼ା,୧୪।୮(ଡି.ଏନ୍‌.ଏ.): କେନ୍ଦୁଝର ଜିଲା ଯୋଡ଼ା ପୌରପାଳିକାର ୭ନଂ. ଓ୍ବାର୍ଡରେ ପରିମଳ ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡ଼ିଛି। ଉକ୍ତ ଓ୍ବାର୍ଡର ପୋଷ୍ଟ ଅଫିସ ପଛପାର୍ଶ୍ୱରେ ଅଳିଆ ଆବର୍ଜନା ପଡ଼ି ପରିବେଶ ପ୍ରଦୂଷିତ ହେଉଛି। ପୌରପାଳିକାରେ ନିୟୋଜିତ ଥିବା ସଫେଇ ଠିକାଦାରମାନେ ସଫା କରୁ ନ ଥିବାରୁ ଏହି ପରିସ୍ଥିତି ଉପୁଜିଛି ବୋଲି ଓ୍ବାର୍ଡବାସୀ ଅଭିଯୋଗ କରିଛନ୍ତି। ଏ ସମ୍ପର୍କରେ ଯୋଡ଼ା ପୌରପାଳିକା ୭ନଂ. ଓ୍ବାର୍ଡର ପୂର୍ବତନ କାଉନସିଲର ଶୈଳେନ୍ଦ୍ର ଜୋରା ତାଙ୍କ ଅଭିଯୋଗରେ କହିଛନ୍ତି ଯେ, ପରିମଳ ବ୍ୟବସ୍ଥା ନେଇ ସେ ବାରମ୍ବାର ପୌରପାଳିକାର ଦୃଷ୍ଟି ଆକର୍ଷଣ କରିଥିଲେ ହେଁ, ଏଥିପ୍ରତି ଦୃଷ୍ଟି ଦିଆଯାଉନାହିଁ। ଏପରିକି ପୌରପାଳିକାର ପରିମଳ ଅଧିକାରୀ ତଥା ସ୍ବଚ୍ଛଭାରତ ଦାୟିତ୍ୱରେ ଥିବା ଅଧିକାରୀ ରାଜେନ୍ଦ୍ର ମିଶ୍ରଙ୍କୁ ୭ନଂ. ଓ୍ବାର୍ଡର ପରିମଳ ବ୍ୟବସ୍ଥା ସମ୍ପର୍କରେ ଫୋନ୍‌ ଯୋଗେ ଅଭିଯୋଗ କରିଥିଲେ ହେଁ, ଅଧିକାରୀ ଆସି ନ ଥିବା ପୂର୍ବତନ କାଉନସିଲର ଶୈଳେନ୍ଦ୍ର ଜୋରା ଅଭିଯୋଗ କରିଛନ୍ତି। ସେ କହିଛନ୍ତି ଯେ, ପୌରପାଳିକା ପକ୍ଷରୁ ରଖାଯାଇଥିବା ଡଷ୍ଟବିନ୍‌ରେ ଅଳିଆ ଆବର୍ଜନା ବହୁତ ଦିନ ଧରି ପଡ଼ିରହୁଛି। ଫଳରେ ଓ୍ବାର୍ଡବାସୀଙ୍କୁ ଚର୍ମରୋଗ ତଥା ସଂକ୍ରମଣ ଜନିତ ରୋଗ ଆକ୍ରାନ୍ତ କରୁଛି। ବର୍ଷାଦିନ ହୋଇଥିବାରୁ ଡେଙ୍ଗୁ ଜ୍ୱରର ଭୟାବହତା ମଧ୍ୟ ରହିଛି। ପୌରପାଳିକା ପକ୍ଷରୁ ନିଯୁକ୍ତ ଥିବା ସଫେଇ ଠିକାଦାରମାନଙ୍କର ସଫେଇ କର୍ମଚାରୀମାନେ ଉକ୍ତ ଅଳିଆ ଆବର୍ଜନାକୁ ସଫା କରିବା ପାଇଁ ୧୦ରୁ ୨୦ ଟଙ୍କା ମଧ୍ୟ ମାଗୁଛନ୍ତି। ଫଳରେ ଉକ୍ତ ସ୍ଥାନରେ ଅଳିଆ ଆବର୍ଜନା ଭରା ଡଷ୍ଟବିନ୍‌ ବକେଟ୍‌ଗୁଡ଼ିକ ପଡ଼ିରହୁଛି। ୧୫ ଦିନ ପୂର୍ବରୁ ଉକ୍ତ ଆବର୍ଜନାକୁ ସଫା କରାଯାଇଥିଲା। ବର୍ତ୍ତମାନ ଆବର୍ଜନା ପଡ଼ି ଗଦା ହୋଇ ରହିଥିଲେ ହେଁ, ପୌରପାଳିକା ପକ୍ଷରୁ ତାହାକୁ ସଫା କରାଯାଉନାହିଁ ବୋଲି ପୂର୍ବତନ କାଉନସିଲର ଶୈଳେନ୍ଦ୍ର ଜୋରା ତାଙ୍କ ଅଭିଯୋଗରେ କହିଛନ୍ତି। ଏ ସମ୍ପର୍କରେ ଯୋଡ଼ା ପୌରପାଳିକା କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ ।