୭ ପ୍ରକଳ୍ପକୁ ସିଙ୍ଗଲ୍‌ ଓ୍ବିଣ୍ଡୋ କର୍ତ୍ତୃପକ୍ଷଙ୍କ ଅନୁମୋଦନ

ଭୁବନେଶ୍ୱର, ୭ା୮(ବ୍ୟୁରୋ): ରାଜ୍ୟ ସରକାର ୭ ପୁଞ୍ଜିନିବେଶ ପ୍ରକଳ୍ପକୁ ମଙ୍ଗଳବାର ଅନୁମୋଦନ କରିଛନ୍ତି। ଏଥିପାଇଁ ମୋଟ ୧୦୩୬.୩୯ କୋଟି ଟଙ୍କା ବିନିଯୋଗ ହେବ। ଏହାଦ୍ୱାରା ୨୭୭୮ ଲୋକଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇପାରିବ ବୋଲି ସରକାର ସୂଚନା ଦେଇଛନ୍ତି। ମଙ୍ଗଳବାର ସଚିବାଳୟରେ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀଙ୍କ ଅଧ୍ୟକ୍ଷତାରେ ସିଙ୍ଗଲ୍‌ ଓ୍ବିଣ୍ଡୋ କର୍ତ୍ତୃପକ୍ଷ ବୈଠକରେ ଏହି ନୂତନ ପ୍ରକଳ୍ପ ଅନୁମୋଦିତ ହୋଇଛି। ଶିଳ୍ପ ବିଭାଗ ପ୍ରମୁଖ ଶାସନ ସଚିବ ସଞ୍ଜୀବ ଚୋପ୍ରା ପ୍ରକଳ୍ପ ସମ୍ବନ୍ଧରେ ତଥ୍ୟ ଉପସ୍ଥାପନ କରିଥିଲେ। ଖୋର୍ଦ୍ଧା ଜିଲାରେ ସୁପ୍ରିମ୍‌ ଇଣ୍ଡଷ୍ଟ୍ରିର ପ୍ଲାଷ୍ଟିକ, ପିଭିସି ଟାଙ୍କି ପ୍ରକଳ୍ପ ପ୍ରତିଷ୍ଠା ହେବ। ଏଥିପାଇଁ ୧୫୧.୩୦ କୋଟି ଟଙ୍କା ଖର୍ଚ୍ଚ ହେବ। ଏଥିରେ ୩୨୦ ଜଣଙ୍କୁ ନିଯୁକ୍ତି ସୁଯୋଗ ମିଳିବ ବୋଲି ସରକାର ଦର୍ଶାଇଛନ୍ତି। ସେହିପରି ଭଦ୍ରକରେ ଭାଗୀରଥି ପ୍ୟାକେଜିଂ ପ୍ରାଇଭେଟ ଲିମିଟେଡ୍‌ର ପ୍ରକଳ୍ପ ହେବ। ୬୦.୨୯ କୋଟି ବିନିଯୋଗ ହେବାକୁଥିବା ଏହି ପ୍ରକଳ୍ପରେ ୫୦୦ ଲୋକଙ୍କୁ ନିଯୁକ୍ତି ମିଳିବ। ଭୁବନେଶ୍ୱର ଠାରେ ମେଫେୟାର ହୋଟେଲ ଲିମିଟେଡ୍‌ର ଏକ କନଭେନଶନ କେନ୍ଦ୍ର ହେବ, ଯେଉଁଥିରେ ୩୦୦ କୋଟି ଟଙ୍କା ଖର୍ଚ୍ଚ ହେବ। ଏଥିରେ ୮୫୦ଜଣଙ୍କୁ ନିଯୁକ୍ତି ମିଳିବ। ଖୋର୍ଦ୍ଧା ଜିଲାରେ ଇନ୍‌ଟେକ ଫୁଡ୍‌ ପ୍ରାଇଭେଟ ଲିମିଟେଡ ଦ୍ୱାରା ଚିଙ୍ଗୁଡି ଖାଦ୍ୟ ଉତ୍ପାଦନ ୟୁନିଟ୍‌ ପ୍ରସ୍ତୁତି ପ୍ରିତିଷ୍ଠା ହେବ। ଏଥିପାଇଁ ୧୦୭.୮୮ କୋଟି ଟଙ୍କା ବିନିଯୋଗ କରାଯିବ।୨୦୫ଜଣଙ୍କୁ ନିଯୁକ୍ତି ମିଳିପାରିବ। ଖୋର୍ଦ୍ଧା ଜିଲାରେ ଏକ୍ସପ୍ଲୋର ଫୁଡ ପ୍ରାଇଭେଟ ଲିମିଟେଡ ଦ୍ୱାରା ରେଡି ଟୁ ଇଟ୍‌ ସ୍ନାକ୍ସ ପ୍ରସ୍ତୁତି ୟୁନିଟ୍‌ ପ୍ରତିଷ୍ଠା ହେବ। ଏଥିରେ ୫୧.୪୦ କୋଟି ଟଙ୍କା ବିନିଯୋଗ ହେବା ସହ ୧୯୪ଜଣଙ୍କୁ ନିଯୁକ୍ତି ମିଳିବ। ସେହିପରି ଖୋର୍ଦ୍ଧା ଜିଲାରେ ଚହ୍ଲା ଇନନ୍‌ ପ୍ରାଟେକ ପ୍ରାଇଭେଟ ଲିମିଟେଡ ପକ୍ଷରୁ ୯୯.୪୦ କୋଟି ଟଙ୍କା ବିନିଯୋଗରେ ଏକ ପ୍ରକଳ୍ପ ପ୍ରତିଷ୍ଠା ହେବ। ଏଥିରେ ୨୩୪ଜଣଙ୍କୁ ନିଯୁକ୍ତି ଦିଆଯିବ। ସୁନ୍ଦରଗଡ ଜିଲାରେ କାଇ ଆନ୍ତର୍ଜାତୀୟ ପ୍ରାଇଭେଟ ଲିମିଟେଡ ଦ୍ୱାରା ୨୬୫.୭୨ କୋଟି ଟଙ୍କା ବିନିଯୋଗରେ ବେନିଫିକେଶନ ଏବଂ ପେଲେଟ ତିଆରି କାରଖାନା ହେବ। ଏଥିରେ ୪୭୫ଜଣଙ୍କୁ ନିଯୁକ୍ତି ମିଳିବ ବୋଲି ସରକାର ସୂଚନା ଦେଇଛନ୍ତି।

Share