Categories: ଗଞ୍ଜାମ

୭ ମାସ ହେଲା ଅଙ୍ଗନୱାଡି କେନ୍ଦ୍ରରେ ମିଳିନି ରନ୍ଧାଖାଦ୍ୟ

ଜଗନ୍ନାଥପ୍ରସାଦ,୧୮ା୭(ଡି.ଏନ.ଏ.)-ଶିଶୁ ଓ ପ୍ରସୂତିଙ୍କ ପୃଷ୍ଟିକର ଖାଦ୍ୟ ଯୋଗାଇବା ପାଇଁ ସରକାର ବିଭିନ୍ନ ଯୋଜନା କରିଛନ୍ତି।ଏଥିପାଇଁ ବ୍ଲକରେ ସମନ୍ବିତ ଶିଶୁ ଓ ମହିଳା ବିକାଶ କାର୍ଯ୍ୟାଳୟ କାର୍ଯ୍ୟ କରୁଛି। ସେଠାରେ ଜଣେ ଅଧିକାରୀ ସମେତ ସେକ୍ଟର ୱାରି ସୁପରଭାଇଜର, ଶତାଧିକ ଅଙ୍ଗନୱାଡି ଦିଦି ନିୟୋଜିତ ଅଛନ୍ତି। କିନ୍ତୁ କେଉଁଠି ଅଙ୍ଗନୱାଡି ଗୃହ ନାହିଁ ତ କେଉଁଠି ଗୃହ ନିର୍ମାଣ ଅଧାପନ୍ତରିଆ ଅବସ୍ଥାରେ ରହିଛି। ଏଭଳି ଅବସ୍ଥା ଦେଖିବାକୁ ମିଳିଛି ଅଞ୍ଚଳର ଚୋପ୍ରା ଗ୍ରାମର ଅଙ୍ଗନଓ୍ବାଡି (ଏ) କେନ୍ଦ୍ରରେ। ୬ରୁ ଊର୍ଦ୍ଧ୍ୱ ବର୍ଷ ଧରି ଏହି କେନ୍ଦ୍ର ବହୁ ସମସ୍ୟା ଦେଇ ଗତି କରୁଛି। ଯାହା ଅଭିଭାବକ ମହଲରେ ଅସନ୍ତୋଷ ବୃଦ୍ଧି ପାଇଛିି। କେନ୍ଦ୍ରରେ ଜଣେ ସେବିକା ସୁମିତ୍ରା ରହିଛନ୍ତି। ୧୪ ଜଣଙ୍କ ମଧ୍ୟରୁ ୩ ରୁ ୬ ବର୍ଷର ଛୁଆ, ଗର୍ଭବତୀ ଓ ପ୍ରସୂତି ମୋଟ ୨୦ଜଣ ଏବଂ ୬ ମାସରୁ ୩ ବର୍ଷ ମଧ୍ୟରେ ଛୁଆ ଅଛନ୍ତିି। ଚୋପ୍ରା କେନ୍ଦ୍ର (ବି)ର କାର୍ଯ୍ୟରତ ଅଙ୍ଗନୱାଡି ଦିଦି ସୁନୀତା କୁମାରୀ ନାଇକଙ୍କୁ କେନ୍ଦ୍ର (ଏ )ର କାର୍ଯ୍ୟଭାର ସମ୍ଭାଳିବାକୁ ନିର୍ଦ୍ଦେଶ ଥିବା କୁହାଯାଇଛି। ପୂର୍ବରୁ ଦୁଇବର୍ଷ କେନ୍ଦ୍ର ବନ୍ଦ ଥିବା ବେଳେ ବର୍ତ୍ତମାନ ୭ ମାସ ଧରି ଏଠାରେ ରୋଷେଇ ହେଉନାହିଁ। ଫଳରେ ରନ୍ଧାଖାଦ୍ୟରୁ ଶିଶୁମାନେ ବଞ୍ଚତ୍ତ ହେଉଛନ୍ତି। ଏଠାରେ ଜଣେ କର୍ମୀ ଠିକ୍‌ ଭାବେ କାମ ନ କରିବାରୁ ତାଙ୍କୁ ବାହାର କରିଦେବା ପରେ ଆଉଜଣଙ୍କୁ ଉକ୍ତ ପଦବୀରେ ନିଯୁକ୍ତି ଦିଆଯାଇଥିଲା। କିଛି ଦିନ ପରେ ସେ ମଧ୍ୟ ଚାକିରି ଛାଡି ଦେଇଥିଲେ। (ବି) କେନ୍ଦ୍ରର ସୁନୀତାଙ୍କ କହିବା ପ୍ରକାରେ (ଏ) କେନ୍ଦ୍ରରେ ପଦବୀ ଖାଲି ପଡିଲେ ଅଫିସରୁ ମୋତେ ଦାୟିତ୍ୱ ପଡ଼ିଥାଏ। ଯାହା ମୋ ପାଇଁ ମଧ୍ୟ ସମସ୍ୟା ହେଉଛି। ଏ ନେଇ ସୁପରଭାଇଜର କେ.ବାସନ୍ତୀଙ୍କୁ ପଚାରିବାରୁ ଅଭିଭାବକଙ୍କ ଦ୍ୱାରା ହୋଇଥିବା ତ୍ରୁଟି ଯୋଗୁ ଏହି ସମସ୍ୟା ହୋଇଛି। କାରଣ କେନ୍ଦ୍ରରେ ଇଚ୍ଛୁକ ପାର୍ଥୀଙ୍କୁ ଚୟନ କରି ଦେବା ସମ୍ପୂର୍ଣ ଅଧିକାର ଥିଲେ ମଧ୍ୟ ବାଛିଥିବା ପାର୍ଥୀ ଅଧା ମାସରୁ ଚାକିରି ଛାଡୁଛନ୍ତି ଏବଂ ଦ୍ୱିତୀୟରେ ଅଞ୍ଚଳରେ ଥିବା ଇଣ୍ଡିିଆନ ବ୍ୟାଙ୍କର ଏହି ଦାୟିତ୍ୱରେ ଥିବା କର୍ମଚାରୀ ଆବଶ୍ୟକ ସ୍ଥଳେ ଆକାଉଣ୍ଟଧାରୀ ନାମ ବାରମ୍ବାର ପରିବର୍ତ୍ତନ ହେଉଥିବାରୁ ଆମ ଅନୁରୋଧ ସତ୍ତ୍ବେ ସେମାନେ ନାମ ପରିବର୍ତ୍ତନ କରୁନାହାନ୍ତି। ଫଳରେ କେନ୍ଦ୍ରରେ ଖର୍ଚ୍ଚ ହେବାକୁ ଆସୁଥିବା ଟଙ୍କା ଉଠାଣ ହୋଇପାରୁନି। ଯାହା ଫଳରେ ରନ୍ଧା ଖାଦ୍ୟ ତିଆରି ହୋଇପାରିନି। ବର୍ତ୍ତମାନ ପୁଣି ଆବେଦନ ପ୍ରକ୍ରିୟା ହୋଇ ସାରିଲାଣି। ଚଳିତ ମାସ ଭିତରେ ପଦବୀ ପୂରଣ କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି।