Advertisement
Categories: ଗଞ୍ଜାମ

୭ ମାସ ହେଲା ଏସଇସିସି ଲିଷ୍ଟ ଖୋଜୁଛି ପ୍ରଶାସନ

ଫିରିଙ୍ଗିଆ,୨୨ା୪- ଫିରିଙ୍ଗିଆ ବ୍ଲକ ବନ୍ଧଗଡ ପଞ୍ଚାୟତ ତେଜାମାହା ଗ୍ରାମର କାଣ୍ଡୁଲୁ ଅମାତ। ବୟସ ୬୧ ଟପିଲାଣି। ସ୍ତ୍ରୀ, ଝିଅ ଓ ପୁଅଙ୍କୁ ହରାଇ ବେସାହାରା ହୋଇ ପଡିଥିବାବେଳେ ତାଙ୍କୁ ଆବାସ ଯୋଜନାରେ ଘରଟିଏ ମିଳିନାହିଁ। ଗତ ସେପ୍ଟେମ୍ବର ମାସରେ ଏନେଇ ଧରିତ୍ରୀରେ ଖବର ପ୍ରକାଶ ପାଇଥିଲା। ସେତବେଳେ କୁହାଗଲା ତାଙ୍କ ନାମ ଏସଇସିସି(ସାମାଜିକ ଅର୍ଥନୈତିକ ଜାତି ଗଣନା) ତାଲିକାରେ ଥିଲେ ନିଶ୍ଚିତ ଘର ମିଳିବ। ଯଦି ନାମ ନ ଥିବ, ତାହାଲେ ସର୍ଭେ କରାଯିବ। ସେଥିରେ ତାଙ୍କୁ ସାମିଲ କରି ଆବାସ ଯୋଜନାରେ ଘର ଦିଆଯିବ। ଏକଥା କହିଥିଲେ ଫିରିଙ୍ଗିଆ ବିଡିଓ। ଇତିମଧ୍ୟରେ ୭ ମାସ ବିତିଯାଇଥିଲେ ମଧ୍ୟ କାଣ୍ଡୁଲୁଙ୍କ ନଁା ଏସ୍‌ଇସିସି ତାଲିକାରେ ପ୍ରଶାସନ ଖୋଜୁଛି। ଆଉ କେତେ ଦିନ ଲାଗିବ ଜଣାନାହିଁ। ମାତ୍ର ଏଥର ନିଶ୍ଚିତ ତାଙ୍କୁ ଘର ମିଳିବ ବୋଲି କହିଛନ୍ତି ସରପଞ୍ଚ।

କାଣ୍ଡୁଲୁଙ୍କି ଗୋଟିଏ ଝିଅ ଏବଂ ଗୋଟିଏ ପୁଅ ଥିଲେ। ସେମାନଙ୍କର ମୃତ୍ୟୁ ଘଟିଥିବାବେଳେ ୫/୬ ବର୍ଷ ପୂର୍ବେ ସ୍ତ୍ରୀଙ୍କୁ ବି ହରାଇଛନ୍ତି। ଏବେ ସେ ଏକୁଟିଆ। ନିଜର ଅସହାୟତା ସମ୍ପର୍କରେ  ସରପଞ୍ଚଙ୍କୁ ଜଣାଇଥିଲେ। ସରପଞ୍ଚ ଚାଉଳ ଓ ଭତ୍ତା କରାଇଦେଇଥିଲେ। ହେଲେ ଘର ଖଣ୍ଡିଏ ଦେବା ପାଇଁ ଚେଷ୍ଟା କରିଥିଲେ ମଧ୍ୟ ଏସଇସିସି ତାଲିକାରେ ନାଁ ନ ଥିବାରୁ କିଛି କରି ପାରି ନ ଥିଲେ। ଏବେ ଭଙ୍ଗା ଚାଳିଆରେ ଦିନ କାଟୁଛନ୍ତି କାଣ୍ଡୁଲୁ।

ଆଜି ପର୍ଯ୍ୟନ୍ତ ବିଡିଓ ପ୍ରବୀଣ କୁମାର ବାଣୁଆଙ୍କ ସେହି ସମାନ କଥା। ତାଙ୍କ ନାଁ ତାଲିକାରେ ଅଛି କି ନାହିଁ ଆମେ ଦେଖୁଛୁ ବୋଲି କହିଛନ୍ତି। ଏ ସମ୍ପର୍କରେ ସରପଞ୍ଚ ଦମୟନ୍ତୀ କହଁରଙ୍କୁ ପଚାରିବାରୁ ତାଙ୍କ ନାମ ଏସଇସିସି ତାଲିକାରେ ନ ଥିଲା। ଗତ ବର୍ଷ ମେ’ରେ ତାଙ୍କ ନାମ ଦିଆଯାଇଛି। ତାଙ୍କୁ ବିଜୁ ପକ୍କାଘରଟିଏ ଦେବାକୁ ଗତବର୍ଷ ବହୁ ଚେଷ୍ଟା କରିଥିଲି। କୌଣସି କାରଣବଶତଃ ତାହା ହୋଇ ପାରି ନ ଥିଲା। ଚଳିତ ବର୍ଷ ବିଜୁ ପକ୍କାଘର ଆସିଲେ ଅଗ୍ରାଧିକାର ଭିତ୍ତିରେ ଦିଆଯିବ ବୋଲି କହିଥିଲେ।

Subscribe to Dharitri WhatsApp ChannelSubscribe to Dharitri WhatsApp Channel