୭ ଲକ୍ଷ ଟଙ୍କାର ବ୍ରାଉନ୍‌ସୁଗାର ଜବତ, ଜଣେ ଗିରଫ

ଜଳେଶ୍ୱର, ୧୮।୧୦-ଜଳେଶ୍ୱର ଅବକାରୀ ବିଭାଗ ଦ୍ୱାରା ବୁଧବାର ୩୦୫ ଗ୍ରାମ (୩୨ଲକ୍ଷ ଟଙ୍କା)ର ବ୍ରାଉନ୍‌ସୁଗାର ଧରାପଡ଼ିବା ପରେ ପୁଣି ଗୁରୁବାର ଜଳେଶ୍ୱର ପୋଲିସ ଦ୍ୱାରା ୭୦ଗ୍ରାମ୍‌ର ବ୍ରାଉନସୁଗାର ଜବତ କରାଯାଇଛି। ଏହାର ଆନୁମାନିକ ମୂଲ୍ୟ ୭ ଲକ୍ଷ ଟଙ୍କା ହେବ।
ଜଳେଶ୍ୱରରୁ ବ୍ରାଉନ୍‌ସୁଗାର ପଶ୍ଚିମବଙ୍ଗକୁ ଚାଲାଣ ହେଉଥିବା ଖବରପାଇ ଗୁରୁବାର ଅପରାହ୍ନ ସମୟରେ ଜଳେଶ୍ୱର ପୋଲିସ ସତ୍‌ସଂଗ ବିହାର ନିକଟ ରାସ୍ତାରେ ତଲାସି ଆରମ୍ଭ କରିଥିଲା। ଏକ ମୋଟର ସାଇକେଲରେ ୨ଜଣ ଯୁବକ ପୋଲିସକୁ ଦେଖି ଖସି ପଳାଇବାକୁ ଉଦ୍ୟମ କରିଥିଲେ। ପୋଲିସ ଜଣକୁ ଧରିବାରେ ସକ୍ଷମ ହୋଇଥିଲା ବେଳେ ଅନ୍ୟ ଜଣେ ମୋଟର ସାଇକେଲରେ ଖସି ପଳାଇଯାଇଥିଲେ। ଧରାପଡ଼ିଥିବା ଯୁବକଙ୍କ ନିକଟରୁ ୭୦ଗ୍ରାମ୍‌ର ବ୍ରାଉନ୍‌ସୁଗାର ଜବତ କରାଯାଇ ତାଙ୍କୁ ଗିରଫ କରାଯାଇଛି। ଗିରଫ ଯୁବକ ହେଲେ ପଶ୍ଚିମବଙ୍ଗ ରାଜ୍ୟ ପଶ୍ଚିମ ମେଦିନୀପୁର ଜିଲା ସବଂ ଥାନା ଲୁଟୁଣିଆ ଗ୍ରାମର ସିଦୁ ମାରାଣ୍ଡି (୪୧)। ମାଜିଷ୍ଟ୍ରେଟ୍‌ ଦାୟିତ୍ୱରେ ଥିବା ଜଳେଶ୍ୱର ଅତିରିକ୍ତ ତହସିଲଦାର କ୍ଷୀରୋଦ ଚନ୍ଦ୍ର ପଣ୍ଡାଙ୍କ ତତ୍ତ୍ୱାବଧାନରେ ପୋଲିସ ଚଢାଉ କରିଥିଲା। ଚଢ଼ାଉରେ ଜଳେଶ୍ୱର ଆଇଆଇସି ପ୍ରଦୀପ କୁମାର ମାଝି, ଓଆଇସି ସତ୍ୟନାରାୟଣ ବଳ ଓ ପୋଲିସ କର୍ମଚାରୀମାନେ ସାମିଲ ଥିଲେ।