୭.୫ ଲକ୍ଷ ଟଙ୍କାର ଅଙ୍ଗୁରପେନ୍ଥା

କୁହାଯାଏ ଖାଇ ନ ପାରିଲେ ଅଙ୍ଗୁର ଖଟା। ଏହି ଅଙ୍ଗୁର କ୍ଷେତ୍ରରେ ଠିକ୍‌ ସେମିତି କିଛି କୁହାଯାଇପାରେ। ଏହି ଅଙ୍ଗୁର ଦାନାର ଆକାର ଏକ ଛୋଟିଆ କ୍ରେଜି ବଲ୍‌ ଭଳି। ଗୋଟିଏ ଗୋଟିଏ ଅଙ୍ଗୁର ଦାନାର ଓଜନ ପ୍ରାୟ ୨୦ ଗ୍ରାମରୁ ଅଧିକ ହୋଇଥାଏ। ଆଉ ସ୍ବାଦରେ ବେଶ୍‌ ମିଠା ଏବଂ ରସାଳ। ଏହି ଅଙ୍ଗୁରର ନାମ ହେଉଛି ରୁବି ରୋମନ। ତେବେ ଏତେ ସ୍ବାଦିଷ୍ଟ ଅଙ୍ଗୁର ଖାଇବା ସଭିଙ୍କ ଭାଗ୍ୟରେ ଜୁଟିବ ନାହିଁ। କାରଣ ଏହାର ମୂଲ୍ୟ ଅବିଶ୍ୱସନୀୟ ଭାବେ ଅଧିକ। ଏହାର ଗୋଟିଏ ପେନ୍ଥାର ମୂଲ୍ୟ ୭.୫ ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ୱ। ପେନ୍ଥାରେ ୩୦ଟି ଅଙ୍ଗୁର ଦାନା ଥାଏ। ଅଙ୍ଗୁରର ଏହି ପ୍ରଜାତିକୁ ଜାପାନର ଇଶିକାଓ୍ବା ପ୍ରାନ୍ତର କୃଷି ସହିତ ଜଡିତ ସହକାରୀ ସମିତି ତିଆରି କରିଛନ୍ତି। ଜାପାନରେ ହିଁ କେବଳ ଏହି ଅଙ୍ଗୁରର ଉତ୍ପାଦନ ହୋଇଥାଏ। ନିକଟରେ ଏଠାକାର କାନଜାଓ୍ବାରେ ଥିବା ହୋଲ୍‌ସେଲ୍‌ ମାର୍କେଟରେ ନିଲାମୀ ଡକାଯାଇଥିଲା। ଏଥିରେ ଏହି ଅଙ୍ଗୁର ପେନ୍ଥାକୁ ହ୍ୟାକୁରାକୁସୋ ନାମକ କମ୍ପାନୀ ୭.୫ ଲକ୍ଷ ଟଙ୍କାରେ କିଣିଥିଲା। ଉକ୍ତ କମ୍ପାନୀ ଜାପାନରେ ହୋଟେଲ ବ୍ୟବସାୟ ସହ ଜଡିତ।

Share