୮ଘଣ୍ଟାରେ ୧୮ କିଲୋମିଟର କାନ୍ଧରେ ବୋହି ପ୍ରସୂତିଙ୍କୁ ହସ୍ପିଟାଲ ନେଲେ ପରିବାରଲୋକେ

କୁଲୁ,୧୭।୨: ସବୁ ରାଜ୍ୟରେ ଭଲ ସ୍ବାସ୍ଥ୍ୟସେବା ଯୋଗାଇ ଦିଆଯାଉଛି ବୋଲି ସରକାର ଡିଣ୍ଡିମ ପିଟୁଥିବା ବେଳେ ପ୍ରାୟ ସମୟରେ ଏହାର ନଗ୍ନ ଉଦାହରଣ ଦେଖିବାକୁ ମିଳିଛି। ବହୁଥର ପ୍ରସୂତିଙ୍କୁ କାନ୍ଧରେ କିମ୍ବା ଭାରରେ ବୋହି ହସ୍ପିଟାଲକୁ ନିଆଯାଉଥିବା ଖବର ସାମ୍ନାକୁ ଆସୁଛି କିନ୍ତୁ ଏହାପରେ ବି ସରକାରଙ୍କ ଚେତା ପଶୁନି। ପୁଣି ଥରେ କିଛି ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ହିମାଚଳ ପ୍ରଦେଶ କୁଲୁ ଜିଲାରେ। ଜଣେ ପ୍ରସୂତିଙ୍କୁ ଚେୟାରରେ କାନ୍ଧ ଉପରେ ବସାଇ ଦୀର୍ଘ ୧୮ କିଲୋମିଟର ଚାଲି ହସ୍ପିଟାଲକୁ ନିଆଯାଇଥିଲା। ସୂଚନାଯୋଗ୍ୟ, ସ୍ବାଧୀନତାର ୭୩ ବର୍ଷ ପରେ ବି ହିମାଚଳ ପ୍ରଦେଶରେ ସ୍ବାସ୍ଥ୍ୟ ଓ ସଡ଼କ ସୁବିଧାର ଘୋର ଅଭାବ ରହିଥିବା ବେଳେ ଦୁର୍ଗମ ଅଞ୍ଚଳ ସୁବେର କଥା ନ କହିବା ଭଲ। କୁଲୁ ଜିଲାର ସେଞ୍ଜ ଘାଟିର ଅତି ଦୁର୍ଗମ ଅଞ୍ଚଳ ଗଡାପାରଲି ପଞ୍ଚାୟତର ସାକଟି ଗାଁର ସୁନୀତା(୨୭) ନାମ୍ନୀ ଜଣେ ମହିଳାଙ୍କୁ ରବିବାର ପ୍ରସୂତି ବେଦନା ହୋଇଥିଲା। ରାସ୍ତା ଖରାପ ଥିବାରୁ ପରିବାରଲୋକେ ତାଙ୍କୁ ଚେୟାରରେ ବାନ୍ଧି କାନ୍ଧରେ ବୋହି ଦୀର୍ଘ ୧୮ କିଲୋମିଟର ଚାଲି ଚାଲି ନିହାନି ପର୍ଯ୍ୟନ୍ତ ନେଇଥିଲେ। ଏହି ମୁଖ୍ୟ ରାସ୍ତାକୁ ଯିବା ପାଇଁ ସେମାନଙ୍କୁ ପ୍ରାୟ ୮ଘଣ୍ଟା ସମୟ ଲାଗିଥିଲା। ସେଠାରୁ ତାଙ୍କୁ ଏକ ଗାଡିରେ ହସ୍ପିଟାଲକୁ ନିଆଯାଇଥିଲା। ଏବେ ତାଙ୍କର ଚିକିତ୍ସା ଚାଲିଥିବା ଜଣାପଡ଼ିଛି।

Share