୮ଜଣଙ୍କୁ କଳିଙ୍ଗ ପ୍ରତିଭା ସମ୍ମାନ

ଭୁବନେଶ୍ୱର, ୧୧ା୧(ବ୍ୟୁରୋ): ସଂସ୍କୃତି ଓ ସଂସ୍କୃତି ଏବଂ ଶିକ୍ଷାବିତ୍‌ ହାଡିବନ୍ଧୁ ହାଲି ଫାଉଣ୍ଡେଶନ୍‌ ପକ୍ଷରୁ ଶୁକ୍ରବାର ସୂଚନା ଭବନଠାରେ ୫ମ ରାଜ୍ୟସ୍ତରୀୟ କଳିଙ୍ଗ ପ୍ରତିଭା ସମ୍ମାନ ଉତ୍ସବ-୨୦୨୦ ଓ ସଙ୍ଗୀତ ସନ୍ଧ୍ୟା ‘ହୋପ୍‌ ୨୦୨୦’ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଅତିଥିଭାବେ ଶ୍ରମିକ କଲ୍ୟାଣ ବୋର୍ଡ ଅଧ୍ୟକ୍ଷ ସୁବାସ ସିଂ, ଓଡ଼ିଶା କ୍ଷୁଦ୍ର ଉଦ୍ୟୋଗ ନିଗମ ଅଧ୍ୟକ୍ଷ ଚିନ୍ମୟ ସାହୁ, ବାବା ସାଧକ ରାମ ନାରାୟଣ ଦାସ ମହାରାଜ, ହାଡ଼ିବନ୍ଧୁ ହାଲି ଫାଉଣ୍ଡେଶନ ଅଧ୍ୟକ୍ଷ ପ୍ରଦୋଷ ପଟ୍ଟନାୟକ, ସମ୍ପାଦକ ଡ. ମିନାକ୍ଷୀ ଦାଶ ଏବଂ ସଂସ୍କୃତି ଓ ସଂସ୍କୃତି ସମ୍ପାଦକ ଦିଲୀପ ହାଲି ଯୋଗ ଦେଇଥିଲେ। ଏହି ଅବସରରେ ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଲାଭ କରିଥିବା ୮ ବ୍ୟକ୍ତିବିଶେଷଙ୍କୁ କଳିଙ୍ଗ ପ୍ରତିଭା ସମ୍ମାନ ପ୍ରଦାନ କରାଯାଇଥିଲା। ସେମାନେ ହେଲେ ସାହିତି୍ୟକ ଭାଗୀରଥି ମହାସୁଆର, ଉଦ୍ୟୋଗୀ ସଞ୍ଜୟ ଲାଠ, ସିଦ୍ଧାନ୍ତ ମହାପାତ୍ର (ଚଳଚ୍ଚିତ୍ର), ପ୍ରଶାସକ ମନସ୍ବିନୀ ସାହୁ, ପ୍ରେମାଞ୍ଜନ ପରିଡ଼ା(ମଞ୍ଚ), ଚଳଚ୍ଚିତ୍ର ନିର୍ଦ୍ଦେଶକ ହିମାଂଶୁ ଖଟୁଆ, ସମାଜିକକର୍ମୀ ପ୍ରତିଭାରାଣୀ ମହାନ୍ତି ଓ ଶିକ୍ଷାବିତ୍‌ ସ୍ନେହ ମିଶ୍ର। କାର୍ଯ୍ୟକ୍ରମରେ ଅତୀତର ଅଭୁଲା ସଙ୍ଗୀତ କାର୍ଯ୍ୟକ୍ରମ ‘ହୋପ୍‌-୨୦୨୦’ ଆୟୋଜିତ ହୋଇଥିଲା। ରାଜେଶ ବିଶ୍ୱାଳଙ୍କ ଭାଓଲିନ୍‌ ବାଦନରୁ ଆରମ୍ଭ ହୋଇଥିଲା ସାଂସ୍କୃତିକ କାର୍ଯ୍ୟକ୍ରମ। କଣ୍ଠଶିଳ୍ପୀ ଛନ୍ଦା ମିଶ୍ର, ଅଚ୍ୟୁତ ମିଶ୍ର, ଦେବୀପଦ ମିଶ୍ର, ଆଦ୍ୟାଶା ଦାସ, ପ୍ରତିଭା ପ୍ରଧାନ, ଅର୍ଣ୍ଣବ ପଣ୍ଡା, ଅଭିଷେକ ଦାସ ଓ ଆଶିଷ୍‌ ଦତ୍ତ ପ୍ରମୁଖ ସଂଗୀତ ପରିବେଷଣ କରିଥିଲେ। ଆଜି ମୁଁ ଶ୍ରାବଣୀ…, ଏ ଦିୱାନୀ ହେ ଦିୱାନୀ.., ରିମ୍‌ଝିମ୍‌ ଗୀରେ ସାବନ୍‌, ଏ ଶ୍ୟାମା.., ଓ ସାଥିରେ.., ଲଗଜା ଗଲେ.., ତେରେ ବିନା ଜିନ୍ଦେଗୀ…ଭଳି ଚିରସବୁଜ ଗୀତ ସଂଗୀତ ସାର ମୁଖ୍ୟ ଆକର୍ଷଣ ସାଜିଥିଲା।

Share