କାନପୁର,୩୧।୮: ଉତ୍ତରପ୍ରଦେଶରେ ଛାତ୍ରୀଛାତ୍ରଙ୍କୁ ଦିଆଯାଉଥିବା ଶିକ୍ଷାର ମାନ ସମ୍ପର୍କରେ ଏବେ ସୋସିଆଲ୍ ମିଡ଼ିଆରେ ଚର୍ଚ୍ଚା ଜାରି ରହିଛି। ସ୍ଥାନୀୟ କାନପୁରର ଏକ ସ୍କୁଲରେ ଜଣେ ୮ମ ଶ୍ରେଣୀ ଛାତ୍ର ନିଜର ଦେହାନ୍ତ ହୋଇଯାଇଥିବା ଦର୍ଶାଇ ପ୍ରିନ୍ସିପଲଙ୍କୁ ଦରଖାସ୍ତ ଲେଖିଛନ୍ତି। ଏଥିପାଇଁ ସ୍କୁଲରୁ ଅଧାଦିନ ଛୁଟି ନେବାକୁ ସେ ଅନୁମତି ଲୋଡିଛନ୍ତି। ଅଗଷ୍ଟ ୨୦ ପୂର୍ବାହ୍ନ ୧୦ଟାରେ ଛାତ୍ରଙ୍କର ଦେହାନ୍ତ ହୋଇଥିବା ଦରଖାସ୍ତରେ ଦର୍ଶାଯାଇଛି। ବ୍ୟସ୍ତରେ ଥିବା ପ୍ରିନ୍ସିପଲ ଦରଖାସ୍ତ ଭଲଭାବେ ନ ପଢ଼ି ଏଥିରେ ଲାଲ୍ ପେନ୍ରେ ଦସ୍ତଖତ କରି ମଞ୍ଜୁର ମଧ୍ୟ କରିଛନ୍ତି। ତେବେ ଏସମ୍ପର୍କରେ ଛାତ୍ର ଜଣକ ନିଜ ସାଙ୍ଗମାନଙ୍କୁ ଜଣାଇଥିଲେ। ଧୀରେଧୀରେ ଏହା ଶିକ୍ଷକମାନେ ମଧ୍ୟ ଜାଣିଥିଲେ। ଏବେ ଛାତ୍ରଙ୍କୁ ଡ଼କାଯାଇ ପଚରାଉଚରା କରାଯାଉଛି। ଛାତ୍ରଙ୍କର ଆବେଦନ ପତ୍ର ଏବେ ସୋସିଆଲ୍ ମିଡ଼ିଆରେ ବେଶ୍ ଭାଇରାଲ ହେବାରେ ଲାଗିଛି।