୮ରେ ଉତ୍କଳ ବିଶ୍ୱବିଦ୍ୟାଳୟ ଆସିବେ ରାଷ୍ଟ୍ରପତି

ଭୁବନେଶ୍ୱର,୨୫।୧୧(ବ୍ୟୁରୋ): ଉତ୍କଳ ବିଶ୍ୱବିଦ୍ୟାଳୟର ପ୍ଲାଟିନମ୍‌ ଜୁବିଲି ସମାରୋହ ଉପଲକ୍ଷେ ଡିସେମ୍ବର ୮ରେ ଆୟୋଜିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଯୋଗଦେବେ। ଉକ୍ତ କାର୍ଯ୍ୟକ୍ରମରେ ରାଷ୍ଟ୍ରପତିଙ୍କ ସହ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌ ଏବଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଉପସ୍ଥିତ ରହିବେ। ରବିବାର ବିଶ୍ୱବିଦ୍ୟାଳୟର ପ୍ଲାଟିନମ୍‌ ଜୁବିଲି ସମାରୋହର ଦ୍ୱିତୀୟ ଦିବସ କାର୍ଯ୍ୟକ୍ରମରେ ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ କୁମାର ସାହୁ ଏହି ସୂଚନା ଦେଇଛନ୍ତି। ଏହି ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ବିଶ୍ୱବିଦ୍ୟାଳୟର ସମସ୍ତ ଛାତ୍ରୀଛାତ୍ର, ପୂର୍ବତନ ଛାତ୍ରୀଛାତ୍ରଙ୍କୁ ଯୋଗଦେବାକୁ ମନ୍ତ୍ରୀ ଅନୁରୋଧ କରିଛନ୍ତି।
ରବିବାର ଅନୁଷ୍ଠିତ ଆଲୁମ୍‌ନି ମିଟ୍‌ରେ ସମ୍ମାନିତ ଅତିଥିଭାବେ ସମବାୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ଯୋଗଦେଇ ଛାତ୍ର ଜୀବନର ଅନୁଭୂତିକୁ ବଖାଣିବା ସହ ବିଶ୍ୱବିଦ୍ୟାଳୟ କ୍ୟାମ୍ପସକୁ ଆସିଲେ ବୟସ କମେ ଓ ହାର୍ଟ ବିଟ୍‌ ବଢ଼େ ବୋଲି କହିଥିଲେ। ସେହିଭଳି ସମ୍ମାନିତ ଅତିଥିଭାବେ ଏମ୍‌ପି ଅଚ୍ୟୁତ ସାମନ୍ତ, ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ଚନ୍ଦ୍ର ଘଡ଼େଇ, ପୂର୍ବତନ ମନ୍ତ୍ରୀ ପଞ୍ଚାନନ କାନୁନ୍‌ଗୋ, ପୂର୍ବତନ ପିସିସି ସଭାପତି ପ୍ରସାଦ କୁମାର ହରିଚନ୍ଦନ, ଭାଜପା ନେତା ପୃଥ୍ବୀରାଜ ହରିଚନ୍ଦନ ପ୍ରମୁଖ ଯୋଗଦେଇଥିଲେ। ପୂର୍ବତନ ମୁଖ୍ୟ ଶାସନ ସଚିବ ବିଜୟ ପଟ୍ଟନାୟକ ମଞ୍ଚରେ ଉପସ୍ଥିତ ଥିଲେ। ବିଶ୍ୱବିଦ୍ୟାଳୟ କୁଳପତି ସୌମେନ୍ଦ୍ର ମୋହନ ପଟ୍ଟନାୟକ ସ୍ବାଗତ ଭାଷଣ ପ୍ରଦାନ କରିଥିବାବେଳେ ରେଜିଷ୍ଟ୍ରାର ଦୟାନିଧି ନାୟକ ଧନ୍ୟବାଦ ଅର୍ପଣ କରିଥିଲେ। ୫ ଦିନ ଧରି ଚାଲିଥିବା ଏହି ପ୍ଲାଟିନମ ଜୁବିଲି ପାଳନର ଆଜିର କାର୍ଯ୍ୟକ୍ରମରେ ବିଭିନ୍ନ ବିଭାଗର ପୁରାତନ ଛାତ୍ରୀଛାତ୍ର ଏକାଠି ହୋଇଥିଲେ। ନିଜ ନିଜ ବିଭାଗରେ ପ୍ରଥମେ ସ୍ବତନ୍ତ୍ର କାର୍ଯ୍ୟକ୍ରମ ହୋଇଥିଲା। ଏହାପରେ ବିଜୁ ପଟ୍ଟନାୟକ ସ୍ପୋର୍ଟସ କମ୍ଲେକ୍ସରେ ମିଳିତ ସଭାର ଆୟୋଜନ ହୋଇଥିଲା। ଏଥିରେ ବହୁସଂଖ୍ୟାରେ ନେତା, ମନ୍ତ୍ରୀ, ପ୍ରଶାସକ ଯେଉଁମାନେ ବିଶ୍ୱବିଦ୍ୟାଳୟର ପୂର୍ବତନ ଛାତ୍ରୀଛାତ୍ର ଥିଲେ ଯୋଗଦେଇଥିଲେ।

Share