୮୦ଭାଗ କାମ ଅଟକିଛି, ଚାଲୁନି ସିସିଟିଭି

ବାରଙ୍ଗ,୬ା୬(ଡି.ଏନ୍‌.ଏ.): ମେ ୩ରେ ଘଟିଥିବା ବାତ୍ୟା ଫନୀକୁ ଏ ମଧ୍ୟରେ ମାସେ ବିତିଯାଇଛି। କିନ୍ତୁ ଏବେ ସୁଦ୍ଧା ନନ୍ଦନକାନନର ଚିତ୍ର ପୂର୍ଣ୍ଣରୂପେ ବଦଳିନାହିଁ। ପୁନରୁଦ୍ଧାର କାର୍ଯ୍ୟ ୮୦ ପ୍ରତିଶତ ବାକି ଥିବାବେଳେ କେବଳ ଶତକଡା ୨୦ଭାଗ ସରିଛି। ପୁଣି ସିସିଟିଭି କାର୍ଯ୍ୟ ମଧ୍ୟ ଆରମ୍ଭ ହୋଇପାରି ନାହିଁ। ପ୍ରକାଶ ଯେ, ବାତ୍ୟା ଯୋଗୁ ନନ୍ଦନକାନନ ୧୯ଦିନକାଳ ବନ୍ଦ ରହିଥିଲା। ଏବେ ଧୀରେ ଧୀରେ ପରିସ୍ଥିତିରେ ସୁଧାର ଆସୁଥିବାବେ ଲୋକଙ୍କ ସଂଖ୍ୟା ବି ବଢ଼ିବାରେ ଲାଗିଛିି। ଆଗକୁ ରଜ ଥିବାରୁ ପର୍ଯ୍ୟଟକ ସଂଖ୍ୟା ବଢ଼ିବାର ଆଶା ରହିଛି। ନନ୍ଦନକାନନକୁ ପ୍ରବେଶ ପଥ ପରେ ସିସିଟିଭି ନଜରରେ ରଖିବାକୁ ପରିକଳ୍ପନା କରାଯାଇଥିଲା। ଯାହାକୁ ୨୦୧୬ ପ୍ରତିଷ୍ଠା ଦିବସରେ ସମ୍ପୂର୍ଣ୍ଣ କରାଯାଇ ଲୋକାର୍ପଣ ହୋଇଥିଲା। ଫଳରେ ୪୦ସିସିଟିଭି ନଜରରେ ନନ୍ଦନକାନନ ରହିଥିଲା। ବାତ୍ୟା ପୂର୍ବରୁ ୨୦ଟି ଖରାପ ଥିବାବେଳେ ବାତ୍ୟାରେ ସମ୍ପୂର୍ଣ୍ଣ ଟାଓ୍ବାର ସହ ସବୁ କ୍ୟାମେରା ନଷ୍ଟ ହୋଇଥିଲା। କିନ୍ତୁ ବାତ୍ୟାକୁ ମାସେ ବିତିଯାଇଥିବାବେଳେ ସିସିଟିଭି କାମ ଆରମ୍ଭ ମଧ୍ୟ ହୋଇ ନାହିଁ। ଆଗକୁ ରଜ ଥିବାବେଳେ ଯଦି ପର୍ଯ୍ୟଟକଙ୍କ ଅଘଟଣ ଘଟେ, ତେବେ କିଭଳି ପ୍ରତିକାର ବ୍ୟବସ୍ଥା କରିବେ ତାହା ପ୍ରଶ୍ନ ଉଠିଛି। ପୂର୍ବରୁ ସିସିଟିଭି ଥାଇ ମଧ୍ୟ ଶିଶୁ ନିଖୋଜ ଘଟଣାରେ ନନ୍ଦନକାନନ ଅପବାଦ ହୋଇଥିଲା। ରଜରେ ଅଧିକାଂଶ ଗ୍ରାମାଞ୍ଚଳରୁ ଅଧିକ ପର୍ଯ୍ୟଟକ ଆସୁଥିବାର ନଜର ରହିଛି। ଏଥିପାଇଁ ଶିଶୁଉଦ୍ୟାନରେ ଛୋଟ ଝିଅମାନେ ଦୋଳି ପାଇଁ ଭିଡ ରହିଥାଏ। କିନ୍ତୁ ଏବେ ଗୋଟିଏ ଦୋଳି ଭାଙ୍ଗି ଏକ କଡ଼ରେ ପଡିଥିବାବେଳେ ଅନ୍ୟ ଦୋଳିଟିରେ ଗଛର ଡାଳ ସବୁ ପଡିରହିଥିବାର ଦେଖାଯାଇଛି। ଅନ୍ୟପକ୍ଷେ ବିଭିନ୍ନ ପଶୁପକ୍ଷୀ ଏନକ୍ଲୋଜରରେ ଥିବା କେତେକ ପାଣିକୁଣ୍ଡ ଭାଙ୍ଗିଯାଇଥିବାରୁ ପାଣି ମଧ୍ୟ ରଖାଯାଇ ନାହିଁ। ଏ ନେଇ ନନ୍ଦନକାନନ ଉପନିର୍ଦ୍ଦେଶକ ଜୟନ୍ତ କୁମାର ଦାସ କୁହନ୍ତି, ଏଯାବତ ୨୦ଭାଗ କାମ ସରିଛି। ପ୍ରତ୍ୟେକ ବୁଲିବା ସ୍ଥାନକୁ ସଫା କରାଯାଇ କିଭଳି ପର୍ଯ୍ୟଟକ ଠିକ ସେ ଦେଖିପାରିବେ ତାହାର ବ୍ୟବସ୍ଥା କରାଯାଉଛି। ଏପରିକି ସିସିକ୍ୟାମେରା କାମ ସରିବାକୁ ପ୍ରାୟ ୧ମାସ ଲାଗିବ ବୋଲି ସେ କହିଛନ୍ତି।

Share