୮୦୦କି.ମି. ପଛେଇ ଚାଲିଲେ ଇଣ୍ଡୋନେସୀୟ ବ୍ୟକ୍ତି

ଜାକର୍ତ୍ତା: ପୂର୍ବ ଜାଭାର ଜଣେ ବ୍ୟକ୍ତି ଅବିଚାରିତ ଗଛକଟା ବିରୋଧରେ ସଚେତନତା ସୃଷ୍ଟିଲାଗି ପଛେଇ ପଛେଇ ଚାଲି ଏକ ନିଆରା ଉଦାହରଣ ସୃଷ୍ଟି କରିଛନ୍ତି। ସେ ଏଭଳି ଚାଲିି ଶୁକ୍ରବାର ୮୦୦କିଲୋମିଟର ସମ୍ପୂର୍ଣ୍ଣ କରିଛନ୍ତି। ନିଜ ପ୍ରଦେଶର ଜଙ୍ଗଲ ସୁରକ୍ଷା ପାଇଁ ସେ ଏହି ଅଭିଯାନ ଦ୍ୱାରା ସରକାରଙ୍କ ସହାୟତା ଲୋଡିଛନ୍ତି। ଏହି ଯାତ୍ରାକାଳରେ ଲୋକେ ତାଙ୍କୁ କୌତୂହଳ ହୋଇ ଚାହିଁ ବେଶ୍‌ ମଜା ଉଠାଇଥିଲେ। ଇଣ୍ଡୋନେସିଆର ଏକ ଏସ୍‌କର୍ଟିଂ ଆମ୍ବୁଲାନ୍ସ ମଧ୍ୟ ତାଙ୍କ ଯାତ୍ରାପଥରେ କେତେକାଂଶରେ ସହାୟତା କରିଥିଲା। ଏହି ଚର୍ଚ୍ଚିତ ବ୍ୟକ୍ତି ହେଉଛନ୍ତି ୪୩ବର୍ଷ ବୟସ୍କ ମେଡି ବଷ୍ଟୋନି। ସେ ୪ ସନ୍ତାନର ଜନକ। ୮୦୦କି.ମି. ପଛେଇ ପଛେଇ ଚାଲିବା ପାଇଁ ତାଙ୍କୁ ପାଖାପାଖି ୧ମାସ ଲାଗିଥିଲା। ଉକ୍ତ ଅଭିଯାନରେ ଅଂଶଗ୍ରହଣ କରିବା ପାଇଁ ସେ ଜନସାଧାରଣଙ୍କୁ ପ୍ରବର୍ତ୍ତାଇପାରିବେ ବୋଲି ଆଶାବାଦୀ ଅଛନ୍ତି।
ଷ୍ଟୋନି ଶୁକ୍ରବାର ଅଳ୍ପକିଛି କିଲୋମିଟର ପଛେଇ ପଛେଇ ଚାଲି କ୍ରୀଡା ଓ ଯୁବମନ୍ତ୍ରୀ ଇମାମ୍‌ ନହରାଓ୍ବିଙ୍କୁ ସାକ୍ଷାତ କରିଥିଲେ। ମନ୍ତ୍ରୀ ମଧ୍ୟ ଉକ୍ତ ବ୍ୟକ୍ତିଙ୍କ ସହ ସାକ୍ଷାତ ପାଇଁ ଅପେକ୍ଷା କରି ରହିଥିଲେ। ପୂର୍ବ ଜାଭା ପ୍ରଦେଶରେ ଅବସ୍ଥିତ ମାଉଣ୍ଟ ଓ୍ବିଲ୍ସ ଜଙ୍ଗଲରେ ପୁନଃ ବୃକ୍ଷ ରୋପଣ ପାଇଁ ସେ ମନ୍ତ୍ରୀଙ୍କୁ ଅନୁରୋଧ କରିଥିଲେ। ମନ୍ତ୍ରଣାଳୟ ବାହାରେ ଆୟୋଜିତ ଏକ ଉତ୍ସବରେ ନହରାଓ୍ବି ବଷ୍ଟୋନିଙ୍କ ହାତକୁ ଏକ ଚାରା ଥିବା ପାତ୍ର ବଢ଼ାଇ ଦେଇଥିଲେ। ଓ୍ବିଲ୍ସରେ ବୃକ୍ଷରୋପଣର ଏହା ଏକ ସଂକେତ ବୋଲି ସେ ସୂଚାଇ ଦେଇଥିଲେ। ବେଆଇନ ଗଛକଟା ଓ ନିଅଁା ଲାଗିଯିବା ଯୋଗୁଁ ଓ୍ବିଲ୍ସ ଜଙ୍ଗଲ ନଷ୍ଟ ହୋଇଯାଇଥିବାରୁ ବର୍ତ୍ତମାନ ସେଠାରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଜାରି ରହିଛି॥ ବଷ୍ଟୋନିଙ୍କ କହିବାନୁଯାୟୀ, ଜଙ୍ଗଲ ନଷ୍ଟ ଯୋଗୁ କୃଷି ଓ ପଶୁପାଳନ ଉପରେ ନିର୍ଭର କରୁଥିବା ଅନେକ ଲୋକଙ୍କ ଜୀବନ ଜୀବିକା ବାଧାପ୍ରାପ୍ତ ହେବା ସହିତ ଜଳାଭାବ ଦେଖାଦେଇଛି।
ଜୁଲାଇ ୧୮ରେ ନିଜ ଡୋନୋ ଗଁାରୁ ଯାତ୍ରା ଆରମ୍ଭ କରିଥିଲେ। ତାଙ୍କ ପାଖରେ ଥିଲା ୩୦ହଜାର ରୁପିୟା ଏବଂ ଆବଶ୍ୟକ ସାମଗ୍ରୀ। ଏଥିରେ ତାଙ୍କୁ ପରିବାର ସଦସ୍ୟ ଓ ବନ୍ଧୁବାନ୍ଧବ ସହାୟତା କରିଥିଲେ। ସେ ସଡକପଥ ଏବଂ ଜାତୀୟ ରାଜପଥରେ ପାଖାପାଖି ୭୮୦କିଲୋମିଟର ଯାତ୍ରା କରିଥିବା ପ୍ରକାଶ କରିଛନ୍ତି।

Share