୮୦୦ ପ୍ରବାସୀ ଶ୍ରମିକଙ୍କୁ ନେଇ ନିର୍ଗୁଣ୍ଡି ଷ୍ଟେଶନରେ ପହଞ୍ଚିଲା ସ୍ବତନ୍ତ୍ର ଟ୍ରେନ୍‌

ଚୌଦ୍ୱାର,୨୩ା୫(ଡି.ଏନ୍‌.ଏ.): ଶନିବାର ଅପରାହ୍ନରେ ଆଉ ଏକ ଶ୍ରମିକ ସ୍ବତନ୍ତ୍ର ଟ୍ରେନ୍‌ ପ୍ରବାସୀଙ୍କୁ ନେଇ କଟକ ଜିଲା ନିର୍ଗୁଣ୍ଡି ଷ୍ଟେଶନରେ ପହଞ୍ଚିଛି। ଆନ୍ଧ୍ରପ୍ରଦେଶ ଗୁଣ୍ଟୁରରୁ ପ୍ରବାସୀ ଓଡ଼ିଆମାନଙ୍କୁ ନେଇ ଭଦ୍ରକ ଆସିଥିବା ଏହି ଗାଡ଼ିରେ ନିର୍ଗୁଣ୍ଡି ଠାରେ କଟକ, ଜଗତସିଂହପୁର,କେନ୍ଦ୍ରାପଡ଼ା, ପୁରୀ,ଗଞ୍ଜାମ, ଅନୁଗୋଳ ଓ ଢେଙ୍କାନାଳ ଜିଲାର ପ୍ରାୟ ୮୦୦ ଯାତ୍ରୀ ଓହ୍ଲାଇଛନ୍ତି । ସେମାନଙ୍କ ସୁବିଧା ପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଉଛି। ଆଇନ ଶୃଙ୍ଖଳା ପରିସ୍ଥିତିକୁ ନଜର ରଖି ନିର୍ଗୁଣ୍ଡି ଷ୍ଟେଶନର ଚାରିପଟ ୧ କିଲୋମିଟର ପର୍ଯ୍ୟନ୍ତ ୧୪୪ଧାରା ଏକ ସପ୍ତାହ ହେବ ବଳବତ୍ତର ଅଛି। ଷ୍ଟେଶନ ପରିସରରେ ସେମାନେ ପହଞ୍ଚିବା ପରେ ପ୍ରଥମେ ସାନିଟାଇଜ୍‌, ପରେ ସ୍କ୍ରିନିଂ ଓ ପାଣି ବୋତଲ ଖାଦ୍ୟପୁଡ଼ିଆ ଦିଆଯିବା ସହିତ ପ୍ରଶାସନିକ ବିଧି ବ୍ୟବସ୍ଥା କରାଯାଇଛି। ପରେ ସେମାନଙ୍କ ଜିଲାରୁ ଆସିଥିବା ବସ୍‌ରେ ସେମାନଙ୍କୁ ନିଜ ଅଞ୍ଚଳର କ୍ୱାରାଣ୍ଟାଇନ୍‌ ସେଣ୍ଟରରେ ରଖାଯିବ। ଏଥିରେ କଟକ ଜିଲାର ୨୪୯ଜଣ ପ୍ରବାସୀ ଥିବା ଜଣାପଡ଼ିଛି ।

Share