Categories: ଜାତୀୟ

୮୨ ବିଦେଶୀ ଛାତ୍ରୀଛାତ୍ରଙ୍କ ଜାତୀୟତା ପ୍ରମାଣ ରେକର୍ଡ ଜେଏନ୍‌ୟୁ ପ୍ରଶାସନ ପାଖରେ ନାହିଁ

ନୂଆଦିଲ୍ଲୀ,୨୨।୧: ଜେଏନ୍‌ୟୁରେ ପଢୁଥିବା ୮୨ ବିଦେଶୀ ଛାତ୍ରୀଛାତ୍ରଙ୍କ ଜାତୀୟତା ପ୍ରମାଣ ରେକର୍ଡ ବିଶ୍ୱବିଦ୍ୟାଳୟ ପ୍ରଶାସନ ପାଖରେ ନାହିଁ। ଏନେଇ ସୂଚନା ଅଧିକାର ଆଇନ ଅନ୍ତର୍ଗତ କରାଯାଇଥିବା ଏକ ଆବେଦନରୁ ଜଣାପଡ଼ିଛି। ବିଶ୍ୱବିଦ୍ୟାଳୟ ପ୍ରଶାସନ ପକ୍ଷରୁ ପ୍ରଦାନ କରାଯାଇଥିବା ରିପୋର୍ଟରେ ଦର୍ଶାଯାଇଛି ଯେ, ଚଳିତ ବର୍ଷ ୩୦୧ ବିଦେଶୀ ଛାତ୍ରୀଛାତ୍ର ଜେଏନ୍‌ୟୁରେ ନାମ ଲେଖାଇଛନ୍ତି। ସେମାନଙ୍କ ମଧ୍ୟରେ ୮୨ ଜଣଙ୍କର ଜାତୀୟତା ପ୍ରମାଣର ରେକର୍ଡ ନାହିଁ। ୨୧୯ଜଣ ଛାତ୍ରୀଛାତ୍ର ୪୭ଟି ଦେଶରୁ ଆସି ଏଠାରେ ପାଠ ପଢୁଥିବା ରିପୋର୍ଟ ସୂଚନା ଅଧିକାର ଆଇନ ଅନ୍ତର୍ଗତ ହସ୍ତଗତ ହୋଇଛି। ଏସବୁ ଛାତ୍ରୀଛାତ୍ର ଗ୍ରାଜୁଏସନ ଡିଗ୍ରୀ, ମାଷ୍ଟର ଡିଗ୍ରୀ, ପିଏଚ୍‌ଡ଼ି, ଏମ୍‌ ଫିଲ୍‌ ଆଦି ୪୧ଟି ପାଠ୍ୟକ୍ରମରେ ନାମ ଲେଖାଇଛନ୍ତି। ଛାତ୍ରୀଛାତ୍ରମାନେ କୋରିଆ, ଆଫଗାନିସ୍ତାନ, ବାଂଲାଦେଶ, ସିରିଆ, ଚାଇନା, ଜର୍ମାନୀ, ନେପାଳ ଆଦି ଦେଶରୁ ଏଠାକୁ ପାଠ ପଢ଼ିବା ପାଇଁ ଆସିଥିବା ଜଣାପଡ଼ିଛି। ଛାତ୍ରୀଛାତ୍ରଙ୍କ ମଧ୍ୟରେ କୋରିଆର ୩୫ ଜଣ, ନେପାଳର ୨୫, ଚାଇନାର ୨୪, ଆଫଗାନିସ୍ତାନର ୨୧, ବାଂଲାଦେଶର ୮, ସିରିଆର ୭ ଜଣ ଥିବା ବିଶ୍ୱବିଦ୍ୟାଳୟ ପକ୍ଷରୁ ପ୍ରଦାନ କରାଯାଇଥିବା ରିପୋର୍ଟରେ ସୂଚିତ ହୋଇଛି। ସୂଚନାଯୋଗ୍ୟ, ସମାଜସେବୀ ସୁଜିତ୍‌ କୁମାର ସ୍ବାମୀଙ୍କ ପକ୍ଷରୁ ଏହି ଆବେଦନ କରାଯାଇଥିଲା।

Share