‘୮୩’ ରିଲିଜ୍‌ ହେବା ପୂର୍ବରୁ ଟ୍ରୋଲ୍‌ ହେଲେ ଦୀପିକା

ମୁମ୍ବାଇ: ବଲିଉଡ୍‌ କୁଇନ୍‌ ଦୀପିକା ପାଦୁକୋନଙ୍କ ଅଭିନୀତ ଫିଲ୍ମ ‘୮୩’ ଏବେ ରିଲିଜ୍‌ ଅପେକ୍ଷାରେ। ୧୯୮୩ରେ ଭାରତ କ୍ରିକେଟ ଓ୍ବାର୍ଲଡ କପ୍‌ ଜିତି ଇତିହାସ ସୃଷ୍ଟି କରିଥିବା ବେଳେ ଏବେ ଏହାକୁ ନେଇ ନିର୍ମାଣ କରାଯାଇଛି ଫିଲ୍ମ ‘୮୩’। ଏଥିରେ ଦୀପିକା ପାଦୁକୋନ କପିଳ ଦେବଙ୍କ ପତ୍ନୀ ରୋମି ଭାଟିଆଙ୍କ ଭୂମିକାରେ ନଜର ଆସିବେ। କିଛିଦିନ ତଳେ ଏହି ଫିଲ୍ମରେ ଦୀପିକାଙ୍କର ଏକ ଲୁକ୍‌ ସାମ୍ନାକୁ ଆସିଥିଲା। ଏଥିରେ ଦୀପିକା ଅବିକଳ ରୋମିଙ୍କ ପରି ଦେଖାଯାଉଥିଲେ। ନିକଟରେ ଦୀପିକା ଏହାକୁ ସୋସିଆଲ ମିଡିଆରେ ଶେୟାର କରିବା ସହ ଲେଖିଥିଲେ, ‘ଖେଳ ଇତିହାସରେ ପ୍ରତିଷ୍ଠିତ କିଛି କ୍ଷଣକୁ ନେଇ ନିର୍ମାଣ କରାଯାଇଥିବା ଫିଲ୍ମରେ ଏକ ଛୋଟିଆ ଚରିତ୍ର ମିଳିଥିବାରୁ ଏହା ମୋ ପାଇଁ ବଡ ସମ୍ମାନ।’ ଏବେ ଏହାକୁ ନେଇ କେତେଜଣ ୟୁଜର୍ସ ଦୀପିକାଙ୍କୁ ଟ୍ରୋଲ କରିଥିବା ଦେଖାଯାଇଛି। ଏବେବି ଲୋକ ଦୀପିକାଙ୍କ ଜବାହରଲାଲ ନେହେରୁ ବିଶ୍ୱବିଦ୍ୟାଳୟ(ଜେଏନ୍‌ୟୁ) ଯିବା ଭୁଲି ନାହାନ୍ତି। କେତେଜଣ ୟୁଜର୍ସ ଲେଖିଛନ୍ତି ଜେଏନ୍‌ୟୁ ଯାଇ ଫିଲ୍ମର ପ୍ରମୋଶନ କର। ଆଉ କେହି କେହି ଲେଖିଛନ୍ତି ଏହାକୁ ‘ଛପାକ’କରିଦିଅ। ସୂଚନାଯୋଗ୍ୟ, ଗତ ଜାନୁୟାରୀରେ ଜେଏନ୍‌ୟୁରେ ଉପୁଜିଥିବା ହିଂସା ସମୟରେ ଦୀପିକା ସେଠାକୁ ଯାଇ ଆନ୍ଦୋଳନରତ ଛାତ୍ରୀଛାତ୍ରଙ୍କ ସହ ମିଶିଥିଲେ। ପରେ ଏହାକୁ ନେଇ ବହୁ ସମାଲୋଚନା ହୋଇଥିଲା। ଆଉ ସେତିକିବେଳେ ତାଙ୍କ ଅଭିନୀତ ଫିଲ୍ମ ‘ଛପାକ’ ରିଲିଜ୍‌ ହୋଇଥିଲା।

Share