Categories: ବାଣିଜ୍ୟ

୮୪ ଏୟାରପୋର୍ଟରେ ଲାଗିବ ବଡି ସ୍କାନର

ନୂଆଦିଲ୍ଲୀ,୩-୬: ସିଭିଲ ଏଭିଏଶନ ସିକ୍ୟୁରିଟି ବ୍ୟୁରୋ ପକ୍ଷରୁ ଦେଶର ସମସ୍ତ ଏୟାରପୋର୍ଟକୁ ଏପ୍ରିଲରେ ଏକ ସର୍କୁଲାର ପଠାଯାଇଛି। ସାରା ଦେଶର ୮୪ ଏୟାରପୋର୍ଟରେ ୨୦୨୦ ମାର୍ଚ୍ଚ ସୁଦ୍ଧା ବଡ଼ି ସ୍କାନର ଲଗାଇବାକୁ ଏଥିରେ କୁହାଯାଇଛି। ଏହାପରେ ଯାଞ୍ଚ ଲାଗି ଲଗାଯାଇଥିବା ମେଟାଲ ଡିଟେକ୍ଟରକୁ ହଟାଇ ନିଆଯିବ। ସୁରକ୍ଷା କର୍ମଚାରୀମାନେ ବଡ଼ି ସ୍କାନର ଲାଗି ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରକ୍ରିୟା(ଏସ୍‌ଓପି) ପାଳନ କରିବାକୁ ବାଧ୍ୟ ରହିବେ। ସ୍କାନର ମେଶିନ ଯାଞ୍ଚ ବେଳେ ଶରୀରର ଏକ ଗ୍ରାଫିକ୍ସ ଇମେଜ ଜେନେରେଟ କରିବ। ଶରୀରରେ ସନ୍ଦେହଜନକ ବସ୍ତୁ ଥିବାର ଦେଖାଗଲେ ଏହା ହଳଦିଆ ରଙ୍ଗରେ ଦୃଷ୍ଟିଗୋଚର ହେବ। ସ୍କାନରରେ ଯାଞ୍ଚ ପୂର୍ବରୁ ଯାତ୍ରୀଙ୍କୁ ମୋଜା,ଜ୍ୟାକେଟ, ମୋଟା କପଡା, ବେଲ୍ଟ ଆଦି ସାମଗ୍ରୀ କାଢିବାକୁ ହେବ। ଏକ ରିପୋର୍ଟ ମୁତାବକ ଦେଶରେ ଏବେ ୧୦୫ ଅପରେଶନାଲ ଏୟାରପୋର୍ଟ ରହିଛି। ତନ୍ମଧ୍ୟରୁ ୨୮ ଅତି ସମ୍ବେଦନଶୀଳ। ଦିଲ୍ଲୀ, ମୁମ୍ବାଇ, କୋଲକାତା, ଚେନ୍ନାଇ ବ୍ୟତୀତ ଜମ୍ମୁ-କଶ୍ମୀର ଓ ଉତ୍ତର-ପୂର୍ବ ଭାରତର ବିମାନବନ୍ଦରଗୁଡ଼ିକ ରହିଛି। ଏହାଛଡ଼ା ୫୨ ଏୟାରପୋର୍ଟକୁ ସମ୍ବେଦନଶୀଳ ଭାବେ ଚିହ୍ନଟ କରାଯାଇଛି।

Share