୮୭୧ ବର୍ଷ ଧରି ପୂଜା ପାଉଛନ୍ତି ମହାପ୍ରଭୁ

୧୧୪୮ ମସିହା ପୂର୍ବରୁ ମହାପ୍ରଭୁ ଉପାସିତ ହେଉଥିଲେ ଶାସଙ୍ଗ ଗ୍ରାମରେ। ବାଲେଶ୍ୱର ସହରଠାରୁ ୪ କୋଶ ଦୂରରେ ଇଟା ନିର୍ମିତ ମନ୍ଦିରରେ ପୂଜା ଆରମ୍ଭ କରିଥିଲେ ସ୍ଥାନୀୟ ଜମିଦାର। ମନ୍ଦିରର ଦୁଇପଟେ ଦୁଇଟି ବ୍ରାହ୍ମଣ ଶାସନ ଦାନ କରିଥିଲେ। ବଳଭଦ୍ରପୁର ଶାସନ ଓ ଜଗନ୍ନାଥପୁର ଶାସନ।
୪ ଏକର ପରିମିତ ଜମିରେ ମନ୍ଦିର ହେବା ସହିତ ଚନ୍ଦନ ପୋଖରୀଟିଏ ଖୋଳାଇଥିଲେ। ମନ୍ଦିର ପରିଚାଳନା ପାଇଁ ସେହି ମସିହାରେ ୬ ମାଣ, ୧୧୬୦ ମସିହାରେ ୩୪ ମାଣ ଓ ୧୧୯୨ ମସିହାରେ ୩୦ ମାଣ ଜମି ଖଞ୍ଜି ଦେଇଥିବା ଦସ୍ତାବିଜରୁ ଜଣାଯାଏ। ପ୍ରଥମ ମନ୍ଦିରଟି ମାଟିରେ ମିଶିଯିବା ପରେ ଦ୍ୱିତୀୟ ମନ୍ଦିର ମଧ୍ୟ ସେଠାରେ ତୋଳା ଯାଇଥିଲା। ଭଗ୍ନ ମନ୍ଦିରର ଅବଶେଷ କେବଳ ବଞ୍ଚତ୍ରହିଛି। ସେଠାରୁ ୬୦୦ ମିଟର ଦୂରରେ ୧୦୦ ବର୍ଷ ପୂର୍ବେ ତିଆରି ହୋଇଥିବା ମନ୍ଦିରରେ ମହାପ୍ରଭୁ ବିଜେ କରିଥିଲେ। ଅନୁସନ୍ଧାନରୁ ଜଣାଯାଏ ଉକ୍ତ ମନ୍ଦିର ମଧ୍ୟ ପ୍ରାକୃତିକ ବିପର୍ଯ୍ୟୟରେ ଭାଙ୍ଗିପଡ଼ିଥିଲା। ୨୦୧୧ ମସିହାରେ ଚତୁର୍ଥ ମନ୍ଦିର ନୂତନ ଭାବରେ ନିର୍ମିତ ହୋଇଅଛି।
ମନ୍ଦିରରେ ପ୍ରଥମେ ତିନିବିଗ୍ରହ ଉପାସିତ ହେଉଥିଲେ। ସାଙ୍ଗରେ ଥିଲେ ଶ୍ରୀଦେବୀ, ଭୂଦେବୀ ଓ ଶ୍ରୀଶାଳଗ୍ରାମ। ନୂତନ ମନ୍ଦିର ନିର୍ମାଣ ହେବା ପରେ ଶ୍ରୀସୁଦର୍ଶନ ବିଜେ କରିଛନ୍ତି। ଐତିହ୍ୟରୁ ଜଣାପଡ଼େ ମୋଗଲ ଶାସନ ସମୟରେ ଏହି ମନ୍ଦିର ଉପରେ ବହୁ ବିପଦ ପଡ଼ିଥିଲା। କଳାପାହାଡ଼ ଆକ୍ରମଣ ବେଳେ ତିନିମୂର୍ତ୍ତିଙ୍କୁ ମାଟିତଳେ ପାତାଳି କରିଦେଇଥିଲେ ଗ୍ରାମବାସୀ। ଆପଣାର ପ୍ରଭୁଙ୍କୁ ଆପଣାପଣିଆରେ ଆଜି ବି ଏ ଅଞ୍ଚଳ ଲୋକେ ଦେଖାରଖା କରିଆସୁଛନ୍ତି। ରଥଯାତ୍ରା ଆସିଲେ ସଭିଏଁ ମିଳିମିଶି ଗୋଟିଏ ରଥରେ ଚାରିବିଗ୍ରହଙ୍କୁ ବସେଇ ମହାସମାରୋହରେ ଏହି ଜାତୀୟ ପର୍ବକୁ ପାଳନ କରୁଛନ୍ତି।
-ଡ. ସୁରେନ୍ଦ୍ର କୁମାର ମିଶ୍ର

Share