୮ ଟନ୍‌ ଚୋରି ହାର୍ଡ-କୋକ୍‌ ଜବତ

ଚୌଦ୍ୱାର,୧୮ା୧(ଡି.ଏନ୍‌.ଏ): କେନ୍ଦ୍ରାପଡ଼ା ଜିଲା ଡେରାବିଶ ଥାନା ଅନ୍ତର୍ଗତ ଚାନ୍ଦୋଳ ଅଞ୍ଚଳରୁ ଚୋରି ହୋଇଥିବା ଏକ ହାର୍ଡ-କୋକ୍‌ ଟ୍ରକ୍‌କୁ ଚୌଦ୍ୱାର ପୋଲିସ ୫୫ନମ୍ବର ଜାତୀୟ ରାଜପଥର କଜଳଖଣା ନିକଟସ୍ଥ ଏକ ଢାବା ସମ୍ମୁଖରୁ ଶୁକ୍ରବାର ଉଦ୍ଧାର କରିଛି। ଏହାସହ ଉକ୍ତ ଟ୍ରକ୍‌ରୁ ଚୋରି ହୋଇଥିବା ୧୭ଟନ୍‌ ହାର୍ଡ-କୋକ ମଧ୍ୟରୁ ୮ଟନ୍‌ ହାର୍ଡ-କୋକ ଉଦ୍ଧାର କରିଛି। ପୋଲିସ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ଉକ୍ତ କୋକ୍‌ ଲୋଡ଼ ହୋଇଥିବା ଗୋଟିଏ ଟାଟା ଏସିଇ ଓ ଏକ ପିକ୍‌ ଅପ୍‌ ଭ୍ୟାନ୍‌କୁ ଶୁକ୍ରବାର ସନ୍ଧ୍ୟାରେ ଜବତ କରିଛି। ପୋଲିସ ସୂଚନା ଅନୁଯାୟୀ, ୧୭ଟନ୍‌ ହାର୍ଡ-କୋକ୍‌ ନେଇ ଗତ ଡିସେମ୍ବର୧୯ରେ ପାରାଦ୍ୱୀପରୁ ଥେରୁଆଲି ଇମ୍ଫା କମ୍ପାନୀ ଅଭିମୁଖେ ଟ୍ରକଟି ବାହାରିଥିଲା। ନିର୍ଦ୍ଧାରିତ ଦିନ ଭିତରେ ଟ୍ରକ କମ୍ପାନୀରେ ପହଞ୍ଚତ୍ ନ ଥିବା ଖବରପାଇ ଟ୍ରକ ମାଲିକ ପାଟକୁରା ଅଞ୍ଚଳର ସୁଧୀର ଚନ୍ଦ୍ର ସାମଲ ଡ୍ରାଇଭରକୁ ଯୋଗାଯୋଗ କରିବାରେ ତା’ର ମୋବାଇଲ ସୁଇଚଅଫ୍‌ ଥିଲା। ତାଙ୍କ ନଂ. ଓଆର ୨୧ବି ୩୨୫୮ଯୁକ୍ତ ଟ୍ରକ୍‌ଟି ଡିସେମ୍ବର ୨୩ ତାରିଖ ଦିନ କଜଳଖଣା ନିକଟରେ ଥୁଆ ହୋଇଥିବା କୌଣସି ସୂତ୍ରରୁ ସୁଧୀର ଜାଣି ଚୌଦ୍ୱାର ଥାନାରେ ଅଭିଯୋଗ କରିଥିଲେ । ରାସ୍ତାରେ ଥୁଆ ହୋଇଥିବା ଟ୍ରକ୍‌ରେ ଲୋଡ଼ ହୋଇଥିବା ହାର୍ଡ-କୋକ ଚୋରି ହୋଇଯାଇଥିବା ଏବଂ ଟ୍ରକ୍‌ରେ ଥିବା ୨ଟି ବ୍ୟାଟେରି,୨ଟି ପାଲ,ଗାଡ଼ି ଜଗ୍‌ ଓ ଜିପିଏସ୍‌ ମେଶିନ୍‌ ମଧ୍ୟ ଚୋରି ହୋଇଯାଇଥିବା ସେ ଅଭିଯୋଗ ପତ୍ରରେ ଦର୍ଶାଇଥିଲେ। ଚୌଦ୍ୱାର ପୋଲିସ ଗାଡ଼ିଟିକୁ ଉଦ୍ଧାର କରି ମାଲିକ ସୁଧୀରଙ୍କୁ ହସ୍ତାନ୍ତର କରିବା ସହିତ ଘଟଣାର ତଦନ୍ତ କରି ଜଗତପୁର ଥାନା ପାଗା ସତ୍ୟଭାମାପୁର ଅଞ୍ଚଳରେ ଚଢ଼ାଉ କରି ୮ଟନ୍‌ କୋକ୍‌ ଲୋଡ଼ ହୋଇ ଗୋଟିଏ ସ୍ଥାନରେ ରଖାଯାଇଥିବା ଓଆର୦୨ବିକ୍ୟୁ ୮୧୯୯ ନମ୍ବରଯୁକ୍ତ ପିକ୍‌ ଅପ୍‌ ଭ୍ୟାନ୍‌ ଓ ଓଆର ୦୫ ଏସି ୦୭୩୨ ନମ୍ବରଯୁକ୍ତ ଟାଟା ଏସିଇକୁ ଜବତ କରି ଥାନାକୁ ଆଣିଛନ୍ତି । ଉକ୍ତ ଗାଡ଼ି ଦୁଇଟିର ମାଲିକ ଓ ଡ୍ରାଇଭର ଫେରାର ହୋଇ ଯାଇଥିବା ପୋଲିସ ସୂଚନା ଦେଇଛି। ଘଟଣାର ଅଧିକ ତଦନ୍ତ ଜାରୀ ରହିଛି।

Share