Categories: ଜାତୀୟ

୮ ବର୍ଷରେ ୪୪ ଦୋଷୀଙ୍କ ୩୨ ରାଜକ୍ଷମା ଖାରଜ: ୩ଙ୍କୁ ଦିଆଯାଇଛି ଫାଶୀ

ନୂଆଦିଲ୍ଲୀ,୧୯।୧: ନିର୍ଭୟା ଦୋଷୀଙ୍କୁ ଫାଶୀ କେବେ ଦିଆଯିବ ସେ ନେଇ ସମ୍ପ୍ରତି ଦେଶବ୍ୟାପି ଚର୍ଚ୍ଚା ଜାରି ରହିଛି। ନିର୍ଭୟା ଦୋଷୀଙ୍କ ମଧ୍ୟରୁ ମୁକେଶ ସିଂଙ୍କ ରାଜକ୍ଷମା ଖାରଜ ହୋଇଛି। ତେବେ ଇତିମଧ୍ୟରେ ପଓ୍ବନ ଗୁପ୍ତା ମାମଲା ଦାଏର ସମୟରେ ସେ ନାବାଳକ ଥିବା ଦର୍ଶାଇ ସୁପ୍ରିମ୍‌କୋର୍ଟରେ ଏକ ଆବେଦନ ଦାଖଲ କରିଛନ୍ତି। ତେବେ ୨୦୧୨ ଜୁଲାଇଠାରୁ ଇତିମଧ୍ୟରେ ୪ ଜଣ ମହିଳାଙ୍କ ସମେତ ୪୪ ଜଣ ଦୋଷୀଙ୍କର ୩୨ଟି ରାଜକ୍ଷମା ରାଷ୍ଟ୍ରପତି ଖାରଜ କରିଛନ୍ତି। ମାତ୍ର ୩ ଜଣ ଦୋଷୀଙ୍କୁ ଫାଶୀ ଦିଆଯାଇଛି ବୋଲି ଏକ ରିପୋର୍ଟରେ ପ୍ରକାଶ ପାଇଛି। ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ ନିଜ କାର୍ଯ୍ୟକାଳ ମଧ୍ୟରେ ୪୨ ଦୋଷୀଙ୍କର ୩୦ ରାଜକ୍ଷମା ଖାରଜ କରିଥିଲେ। ସମ୍ପ୍ରତି ରାଷ୍ଟ୍ରପତି ରାମନାଥ କୋବିନ୍ଦ ୨ ଜଣଙ୍କର ରାଜକ୍ଷମା ଖାରଜ କରିସାରିଛନ୍ତି। ଫାଶୀ ଦିଆଯାଇଥିବା ୩ ଜଣଙ୍କ ମଧ୍ୟରେ ଅଜମଲ କସାବ, ଆଫଜଲ ଗୁରୁ ଏବଂ ୟାକୁବ ମେନନ୍‌ ରହିଛନ୍ତି। ୨୦୧୨ ନଭେମ୍ବର ୧୫ରେ କସାବ ରାଜକ୍ଷମା ପାଇଁ ଆବେଦନ କରିଥିଲେ। ତେବେ ଏହାକୁ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ ଖାରଜ କରିଦେଇଥିଲେ। ଏହାପରେ ତାଙ୍କୁ ୨୦୧୨ ନଭେମ୍ବର ୨୧ରେ ଫାଶୀ ଦିଆଯାଇଥିଲା। ସେହିପରି ଆଫଜଲ ୨୦୧୧ରେ ରାଜକ୍ଷମା ପାଇଁ ଆବେଦନ କରିଥିଲେ। ଏହା ୨୦୧୩ ଫେବୃୟାରୀ ୩ରେ ଖାରଜ ହୋଇଥିଲା। ଏହା ପରେ ୨୦୧୩ ଫେବୃୟାରୀ ୯ରେ ତାଙ୍କୁ ଫାଶୀ ଦିଆଯାଇଥିଲା। ୟାକୁବ ୨୦୧୪ ମାର୍ଚ୍ଚ ୧୪ରେ ରାଜକ୍ଷମା ଆବେଦନ କରିଥିଲେ ତେବେ ଏହା ୧୧ ଏପ୍ରିଲ୍‌ରେ ଖାରଜ ହୋଇଥିଲା। ତାଙ୍କୁ ଧାର୍ଯ୍ୟ ଦିନର ଏକ ଦିନ ପୂର୍ବରୁ ୨୦୧୫ ଜୁଲାଇ ୨୯ରେ ଫାଶୀ ଦିଆଯାଇଥିଲା। ଇତିମଧ୍ୟରେ ରାଷ୍ଟ୍ରପତି କୋବିନ୍ଦ ଜଗତ ରାୟ ଏବଂ ମୁକେଶ ସିଂଙ୍କ ରାଜକ୍ଷମା ଖାରଜ କରିସାରିଛନ୍ତି। ଗତ ୮ ବର୍ଷ ମଧ୍ୟରେ ସୀମା ଗୋବିତ, ରେଣୁକା ସିନ୍ଦେ, ସୋନିଆ ଏବଂ ଶବନମ୍‌ ଆଦି ୪ ମହିଳାଙ୍କ ରାଜକ୍ଷମା ଖାରଜ ହୋଇଛି। ତେବେ ସେମାନଙ୍କୁ ଫାଶୀ ଦିଆଯାଇ ନାହିଁ। ୨୦୦୦ରୁ ୨୦୧୮ ମଧ୍ୟରେ ଗତ ୧୯ ବର୍ଷ ମଧ୍ୟରେ କେବଳ ୪ ଦୋଷୀଙ୍କୁ ଫାଶୀ ଦିଆଯାଇଛି। ଜାତୀୟ ଅପରାଧ ରେକର୍ଡ ବ୍ୟୁରୋ ଅନୁସାରେ ଏହି ସମୟ ମଧ୍ୟରେ ୨ ହଜାର ୩ ଶହ ୨୮ ଦୋଷୀଙ୍କୁ ଫାଶୀ ଦଣ୍ଡାଦେଶ ହୋଇଛି। ୨୦୧୮ରେ ୧୮୬ ଦୋଷୀଙ୍କୁ ଫାଶୀ ଦଣ୍ଡାଦେଶ ହୋଇଥିଲା। ତେବେ ୬୫ ଜଣଙ୍କ ଫାଶୀକୁ ଆଜୀବନ କାରାଦଣ୍ଡାରେ ପରିବର୍ତ୍ତନ କରାଯାଇଛି।

Share