Categories: ଖେଳ

୮ ଲକ୍ଷ ଟଙ୍କା ନ ଦେଲେ ରେସଲର ରୀନା ଆଜୀବନ ବାସନ୍ଦ ହେବେ

ନୂଆଦିଲ୍ଲୀ,୩୦।୫(ପି.ଟି.)- ୮ ଲକ୍ଷ ଟଙ୍କା ନ ଦେଲେ ଭାରତୀୟ ମହିଳା ରେସଲର ରୀନା ଆଜୀବନ ବାସନ୍ଦ ହେବେ। ଡୋପ୍‌ ଟେଷ୍ଟରେ ବିଫଳ ହେବା ପରେ ରେସଲିଂ ଫେଡେରେଶନ ଅଫ୍‌ ଇଣ୍ଡିଆ (ଡବ୍ଲ୍ୟୁଏଫ୍‌ଆଇ) ଜରିମାନା ଅର୍ଥ ୧୬ ଲକ୍ଷ ଟଙ୍କାର ଅଧା ଦେବାକୁ ରୀନାଙ୍କୁ ନିର୍ଦ୍ଦେଶ ଦେଇଛି। ନିୟମ ଅନୁସାରେ ଯେକୌଣସ ଡୋପ୍‌ ଅଫେନ୍ସ ପାଇଁ ଡବ୍ଲ୍ୟୁଏଫ୍‌ଆଇ ୟୁନାଇଟେଡ ଓ୍ବାଲର୍‌ଡ ରେସିଲିଂ (ୟୁଡବ୍ଲ୍ୟୁଡବ୍ଲ୍ୟ)କୁ ୧୬ ଲକ୍ଷ ଟଙ୍କା ଦେବାକୁ ବାଧ୍ୟ। ତେବେ ରୀନାଙ୍କୁ ଏହାର ଅଧା ଦେବାକୁ ପଡିବ ବୋଲି କୁହାଯାଇଛି।
୨୩ ବର୍ଷରୁ କମ୍‌ ଏସିଆନ୍‌ ଚାମ୍ପିୟନଶିପ୍‌ ରୌପ୍ୟପଦକ ବିଜୟିନୀ ରୀନା ଗତ ମାର୍ଚ୍ଚରେ ହୋଇଥିବା ଡୋପ୍‌ ଟେଷ୍ଟରେ ବିଫଳ ହୋଇଥିଲେ। ଫଳରେ ତାଙ୍କୁ ସାମୟିକ ଭାବେ ବାସନ୍ଦ କରାଯାଇଥିଲା। ଜାତୀୟ ନିଶା ନିବାରଣ ସଂସ୍ଥା (ନାଡ଼ା) ଦ୍ୱାରା ହେବାକୁ ଥିବା ଅନ୍ତିମ ଶୁଣାଣିର ଫଳାଫଳକୁ ଡବ୍ଲ୍ୟୁଏଫ୍‌ଆଇ ଅପେକ୍ଷା କରିଛି। ଯଦି ରୀନା ଏଥିରେ ବିଫଳ ହୁଅନ୍ତି ତେବେ ତାଙ୍କୁ ୮ ଲକ୍ଷ ଟଙ୍କା ଦେବାକୁ ହେବ ବୋଲି କୁହାଯାଇଛି। ଉଲ୍ଲେଖଥାଉ କି, ଗତ ବର୍ଷ ଦୁଇ ରେସଲର ଯତୀନ ଓ ମନୀଷ ଡୋପ୍‌ ଟେଷ୍ଟରେ ବିଫଳ ହେବା କାରଣରୁ ୟୁଡବ୍ଳ୍ୟୁଡବ୍ଲ୍ୟୁକୁ ଡବ୍ଲ୍ୟୁଏଫ୍‌ଆଇ ୩୨ ଲକ୍ଷ ଟଙ୍କା ଜରିମାନା ଦେଇଥିଲା। ତେବେ ଜରିମାନାର ଅଧା ଅର୍ଥ ଦେଇ ନ ପାରିବାରୁ ଏହି ଦୁଇ ରେସଲରଙ୍କୁ ଆଜୀବନ ବାସନ୍ଦ କରାଯାଇଥିଲା।
ଡବ୍ଲ୍ୟୁଏଫ୍‌ଆଇର ଅଧିକାରୀଙ୍କ କହିବା ଅନୁସାରେ ରୀନା ଯନ୍ତ୍ରଣା ଲାଘବ ପାଇଁ ନିଜର ବ୍ୟକ୍ତିଗତ କୋଚ୍‌ଙ୍କ ପରାମର୍ଶ କ୍ରମେ ଇାଞ୍ଜେକ୍‌ଶନ ନେଇଥିଲେ। ରୀନା ଗତବର୍ଷ ଜୁନିୟର ଏସିଆନ୍‌ ଚାମ୍ପିୟନଶିପ୍‌ରେ ବ୍ରୋଞ୍ଜ୍‌ ପଦକ ଜିତିଥିଲେ। ସେହିପରି ୨୦୧୫ ଏସିଆନ କ୍ୟାଡେଟ ଚାମ୍ପିୟନଶିପ୍‌ରେ ସେ ରୌପ୍ୟ ପଦକ ହାସଲ କରିଥିଲେ।

Share