ଶ୍ରୀନଗର,୧୧ା୯ (ପି.ଟି./ଆଇଏଏନ୍ଏସ୍): ପାକିସ୍ତାନୀ ଆତଙ୍କବାଦୀ ସଙ୍ଗଠନ ଲଶ୍କର-ଇ-ତୋଇବା (ଏଲ୍ଇଟି)ର ୮ ସହଯୋଗୀ ମଙ୍ଗଳବାର କଶ୍ମୀରରୁ ଗିରଫ ହୋଇଛନ୍ତି। ସେମାନେ ବାରାମୁଲା ଜିଲାର ସୋପୋରରେ ଆତଙ୍କବାଦୀଙ୍କ ଛତ୍ରଛାୟା ତଳେ ରହି ଧମକପୂର୍ଣ୍ଣ ପୋଷ୍ଟର ପ୍ରସାର କରୁଥିଲେ। ଆଇନ ଅମାନ୍ୟ ପାଇଁ ଲୋକଙ୍କୁ ଉସୁକାଇବା ପାଇଁ ଉଦ୍ଦିଷ୍ଟ ଏହି ପୋଷ୍ଟରରେ ସିଭିଲ କର୍ଫ୍ୟୁର ବାର୍ତ୍ତା ରହିଛି। ଏହାସହ ଏଥିରେ ସ୍ଥାନୀୟ ଲୋକଙ୍କୁ ଧମକ ଦିଆଯାଇଥିବା ପୋଲିସ କହିଛି। ଗିରଫ ଐଜାଜ୍ ମିର, ଓମାର ମିର, ତସିଫ୍ ନଜାର, ଇମ୍ତିଆଜ୍ ନଜାର, ଓମାର ଆକ୍ବର, ଫୈଜାନ୍ ଲତିଫ୍, ଦାନିଶ, ହବିବ୍ ଓ ଶୌକତ୍ ଅହମ୍ମଦ ମିରଙ୍କଠାରୁ ଏହି କାର୍ଯ୍ୟରେ ବ୍ୟବହୃତ କେତେକ କମ୍ଫ୍ୟୁଟର ଓ ଅନ୍ୟ ଆପତ୍ତିଜନକ ସାମଗ୍ରୀ ଜବତ ହୋଇଛି।