୮ ଶ୍ରେଣୀ ପାଇଁ ଲାଗୁ ହେବ ପାସ୍‌ ଫେଲ୍‌ ବ୍ୟବସ୍ଥା

ଭୁବନେଶ୍ୱର, ୨୩।୭(ବ୍ୟୁରୋ): ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଛାତ୍ରୀଛାତ୍ରଙ୍କ ପାଇଁ ନୂଆ ବ୍ୟବସ୍ଥା ଆସିବାକୁ ଯାଉଛି। ୨୦୦୯ ପୂର୍ବରୁ ଛାତ୍ରୀଛାତ୍ରମାନେ ବାର୍ଷିକ ପରୀକ୍ଷା ଦେଇ ଆସୁଥିଲେ। ପାସ୍‌ କରିପାରୁ ନ ଥିବା ପିଲାଙ୍କୁ ପୁନର୍ବାର ସେହି ଶ୍ରେଣୀରେ ପାଠ ପଢୁଥିଲେ। ରାଇଟ୍‌ ଟୁ ଏଜୁକେଶନ ଆକ୍ଟ ଅନୁଯାୟୀ ୨୦୦୯ରୁ ପ୍ରଥମରୁ ୮ମ ଶ୍ରେଣୀ ଯାଏ ବାର୍ଷିକ ପରୀକ୍ଷା ଓ ପାସ୍‌ଫେଲ୍‌ ବ୍ୟବସ୍ଥା ଉଠାଇ ଦିଆଯାଇଥିଲା। ଏହାଦ୍ୱାରା ପିଲାମାନେ ଶିକ୍ଷା କ୍ଷେତ୍ରରେ ଦୁର୍ବଳ ହେଉଥିବା ଲକ୍ଷ୍ୟ କରାଯିବା ପରେ ରାଜ୍ୟ ସରକାର ଏନେଇ ଗୁରୁତର ଭାବେ ଚିନ୍ତା କରିଛନ୍ତି। ଅନ୍ୟପଟେ ପିଲାମାନଙ୍କ ବାର୍ଷିକ ପରୀକ୍ଷା ସମ୍ପର୍କରେ ନିଷ୍ପତ୍ତି ନେବାକୁ କେନ୍ଦ୍ର ସରକାର ନିକଟରେ ରାଜ୍ୟ ଉପରେ ଛାଡିଦେଇଛନ୍ତି। ଏହାକୁ ଦୃଷ୍ଟିରେ ନିକଟରେ ବୋର୍ଡ ବୈଠକ ଅନୁଷ୍ଠିତ ହୋଇଥିବା ଜଣାପଡିଛି। ବୈଠକରେ ନିଆଯାଇଥିବା ନିଷ୍ପତ୍ତି ଅନୁଯାୟୀ, ଏଥର ପ୍ରତିବର୍ଷ ପିଲାମାନେ ପୂର୍ବଭଳି ବାର୍ଷିକ ପରୀକ୍ଷା ଦେବେ। ୪ର୍ଥ ଶ୍ରେଣୀ ପର୍ଯ୍ୟନ୍ତ ପିଲାମାନଙ୍କ ପାଇଁ ପାସ୍‌ଫେଲ୍‌ ବ୍ୟବସ୍ଥା ନାହିଁ। କିନ୍ତୁ ୫ମ ଶ୍ରେଣୀରେ ଫେଲ୍‌ ହେଲେ ଛାତ୍ରୀଛାତ୍ରମାନେ ଆଉଥରେ ପରୀକ୍ଷା ଦେବେ। ଷଷ୍ଠ ଏବଂ ସପ୍ତମ ଶ୍ରେଣୀର ପିଲାମାନେ ବାର୍ଷିକ ପରୀକ୍ଷା ଦେବେ। ସେମାନଙ୍କ ପାଇଁ ପାସ୍‌ଫେଲ୍‌ ବ୍ୟବସ୍ଥା ନାହିଁ। ହେଲେ ୮ମ ଶ୍ରେଣୀରେ ଫେଲ୍‌ ହେଲେ ପିଲାଙ୍କୁ ସେହି ଶ୍ରେଣୀରେ ଆଉଥରେ ପଢ଼ିବାକୁ ପଡିବ ବୋଲି ବିଭାଗୀୟ ମନ୍ତ୍ରୀ ସମୀର ରଞ୍ଜନ ଦାଶ କହିଛନ୍ତି। ବିଭାଗୀୟ ପ୍ରମୁଖ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର କହିଛନ୍ତି, ୫ମ ଏବଂ ୮ମ ଶ୍ରେଣୀରେ ବୋର୍ଡ ପରୀକ୍ଷା ହେବା ସାଙ୍ଗକୁ ସବୁ ଶ୍ରେଣୀରେ ବାର୍ଷିକ ପରୀକ୍ଷା କରାଯିବା ନେଇ ବିଚାର କରାଯାଉଛି।
ଛାତ୍ରୀଛାତ୍ରଙ୍କ ପାଠପଢ଼ାରେ ସୁଧାର ଆଣିବା ସକାଶେ ଆଉ ଏକ ନୂଆ ବ୍ୟବସ୍ଥା ହୋଇଛି। ୨୦୧୦ରୁ ପ୍ରତ୍ୟେକ ବର୍ଷ ୨ଥର ସ୍କୁଲରେ ଅଭିଭାବକମାନଙ୍କ ବୈଠକ ଲାଗି ସରକାର ନିଷ୍ପତ୍ତି ନେଇଥିଲେ। ପ୍ରଧାନଶିକ୍ଷକଙ୍କ ଜରିଆରେ ଅଭିଭାବକମାନଙ୍କ ବୈଠକ ଡକାଯାଉଥିଲା। ଦୀର୍ଘଦିନ ହେବ ଏହି ବ୍ୟବସ୍ଥା ଚାଲିଥିଲେ ମଧ୍ୟ ଏହାକୁ ଠିକଣା ଢଙ୍ଗରେ କାର୍ଯ୍ୟକାରୀ କରାଯାଉ ନ ଥିବା ଜଣାପଡିବା ପରେ ବିଭାଗ ପକ୍ଷରୁ ଏଥିରେ ପରିବର୍ତ୍ତନ ଆଣିବାକୁ ନିଷ୍ପତ୍ତି ହୋଇଛି। ମନ୍ତ୍ରୀଙ୍କ ସୂଚନା ମୁତାବକ, ଏଣିକି ବର୍ଷକୁ ୪ଥର ଅଭିଭାବକମାନଙ୍କ ବୈଠକ ପାଇଁ ନିଷ୍ପତ୍ତି ନିଆଯାଇଛି। ଯଦି ଏଥିରେ ଖିଲାପ କରାଯାଏ ତେବେ ଅଭିଭାବକମାନଙ୍କ ସଭାପତି ଥିବା ବ୍ୟକ୍ତିଙ୍କୁ ଦାୟିତ୍ୱରୁ ମୁକ୍ତ କରାଯିବ।

Share