Advertisement

୯ଜଣଙ୍କୁ ‘କନ୍ୟାରତ୍ନ ସମ୍ମାନ’

ଭୁବନେଶ୍ୱର,୧୪।୨(ବ୍ୟୁରୋ): ଲିଙ୍ଗଗତ ବୈଷ୍ୟମ୍ୟତା ଦୂର କରିବା ଉଦ୍ଦେଶ୍ୟରେ ସାମାଜିକ ଅନୁଷ୍ଠାନ କଳିଙ୍ଗ ଚାରିଟେବୁଲ ଟ୍ରଷ୍ଟ ତରଫରୁ ଗୁରୁବାର ଉତ୍କଳ ରଙ୍ଗମଞ୍ଚଠାରେ ଏକ ନିଆରା କାର୍ଯ୍ୟକ୍ରମ ‘କଳିଙ୍ଗ ରତ୍ନ ସମ୍ମାନ’ ଅନୁଷ୍ଠିତ ହୋଇଯାଇଛି। ଅତିଥିଭାବେ ପୂର୍ବତନ ବରିଷ୍ଠ ପ୍ରଶାସକ ହେମନ୍ତ ପାଢ଼ୀ ଯୋଗଦେଇ ସମାଜରେ ବଢ଼ୁଥିବା ଲିଙ୍ଗଗତ ବୈଷମ୍ୟତା ସମ୍ପର୍କରେ କହିଥିଲେ। ଦିନକୁ ଦିନ ପୁଅଙ୍କ ତୁଳନାରେ ଝିଅଙ୍କ ସଂଖ୍ୟା କମିବା ଆଗାମୀ ଦିନରେ ସାରା ବିଶ୍ୱ ପାଇଁ ଏକ ଉଦ୍‌ବେଗର ବିଷୟ ହେବ ବୋଲି ସେ ପ୍ରକାଶ କରିଥିଲେ। ସମ୍ମାନିତ ଅତିଥିଭାବେ ବିଶ୍ୱ ମାନବାଧିକାର କମିଶନ(ଡବ୍ଲ୍ୟୁଏଚ୍‌ଆରସି) ରାଷ୍ଟ୍ରୀୟ ସଭାପତି ଗୋପାଳ ଶତପଥୀ ଯୋଗଦେଇ ‘ଝିଅଙ୍କୁ ପଢ଼ାନ୍ତୁ, ଝିଅଙ୍କୁ ବଞ୍ଚାନ୍ତୁ’ ଅଭିଯାନକୁ କେବଳ ଅଭିଯାନ କି କଥାରେ ସୀମିତ ନ ରଖି ଏକ ସାମାଜିକ ଆନ୍ଦୋଳନରେ ପରିଣତ କରିବାକୁ ଆହ୍ବାନ ଦେଇଥିଲେ। ଏହି ଅବସରରେ ସମାଜରେ ଉଲ୍ଲେଖନୀୟ ଅବଦାନ ପାଇଁ ୯ ପ୍ରତିଭାଙ୍କୁ ଟ୍ରଷ୍ଟ ପକ୍ଷରୁ ‘କଳିଙ୍ଗ ରତ୍ନ ସମ୍ମାନ’ ପ୍ରଦାନ କରାଯାଇଥିଲା। ସମ୍ମାନିତ ପ୍ରତିଭାମାନେ ହେଲେ ଇଂ. ଦିଲୀପ ପ୍ରଧାନ, ରିକି ପରିଡ଼ା, ସୁବ୍ରତ କୁମାର ଜେନା, ଜ୍ଞାନେନ୍ଦ୍ର ନାୟକ, ଗୋପାଳ ଶତପଥୀ, ଖବରଦାତା ନୀରଦ ବରଣ ମହାପାତ୍ର, ଅଭିଷେକ ମହାନ୍ତି, ସମୀକ୍ଷା ପଟ୍ଟନାୟକ ଏବଂ ସସ୍ମିତା ମଲ୍ଲ। ଟ୍ରଷ୍ଟର ସଭାପତି ନାରାୟଣ ମହାପାତ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଭୁବନେଶ୍ୱର ଲେଡିଜ୍‌ ଫୋରମ୍‌ ସଦସ୍ୟାମାନେ ନୃତ୍ୟ ଓ ସଙ୍ଗୀତ ମାଧ୍ୟମରେ ‘ଝିଅଙ୍କୁ ପଢ଼ାନ୍ତୁ, ଝିଅଙ୍କୁ ବଞ୍ଚାନ୍ତୁ’ର ବାର୍ତ୍ତା ଦେଇଥିଲେ। ଖଣ୍ଡଗିରିସ୍ଥିତ ଜୀବନ ଜ୍ୟୋତି ଆଶ୍ରମର ପିଲାମାନେ ‘କନ୍ୟା ଅନ୍‌ମୋଲ, କନ୍ୟା ରତ୍ନ କର ଯତ୍ନ’କୁ ନେଇ କ୍ଷୁଦ୍ର ନାଟକ ଓ ସଙ୍ଗୀତ ପରିବେଷଣ କରିଥିଲେ। ଅତିଥିଭାବେ ଡା. ଜଗନ୍ନାଥ ମହାପାତ୍ର, ସାହିତି୍ୟକ ବିଜୟ ଦାସ, ରୁଦ୍ରନାରାୟଣ ସାମନ୍ତରାୟ, ଓଡ଼ିଶୀ ନୃତ୍ୟଶିଳ୍ପୀ ଶାଶ୍ୱତୀ ମିଶ୍ର, ଅଭୟ ପରିଡ଼ା, ଉମାନାଥ ମିଶ୍ର ପ୍ରମୁଖ ଯୋଗ ଦେଇଥିଲେ। ଅଭିଷେକ ମହାନ୍ତି ପରିଚାଳନା ଓ ଟ୍ରଷ୍ଟର ସମ୍ପାଦକ ମନୋଜ ରାଉଳ ଧନ୍ୟବାଦ ଦେଇଥିଲେ।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share