Categories: ଗଞ୍ଜାମ

୯ବର୍ଷ ପରେ ଘରକୁ ଫେରିଲା ପୁଅ:  ଶୁଦ୍ଧିକ୍ରିୟା ସାରିଥିଲେ ପରିବାର

ହିଞ୍ଜିଳିକାଟୁ,୩ା୧୧(ଡି.ଏନ୍‌.ଏ.)- ୯ବର୍ଷ ତଳେ ନିଖୋଜ ହୋଇଯାଇଥିଲେ ପୁଅ। ମୃତ୍ୟୁ ହୋଇଥିବା ଭାବି ଶୁଦ୍ଧିକ୍ରିୟା ସାରିଦେଇଥିଲେ ପରିବାର ଲୋକେ। ତେବେ ଶୁକ୍ରବାର ରାତିରେ ହଠାତ୍‌ ପୁଅ ଘରେ ପହଞ୍ଚତ୍ବାରୁ ଆଶ୍ଚର୍ଯ୍ୟ ହୋଇଯାଇଥିଲେ ପରିବାର ଲୋକେ। ପୁଅକୁ ପାଖରେ ଦେଖୁଥିଲେ ମଧ୍ୟ ବିଶ୍ୱାସ କରିପାରୁ ନ ଥିଲେ ମା’। ପରେ ପରିବାରର ଖୁସି କହିଲେ ନ ସରେ। ଏପରି ଏକ ଘଟଣା ଘଟିଛି ଗଞ୍ଜାମ ଜିଲା ହିଞ୍ଜିଳିକାଟୁ ପୌରାଞ୍ଚଳରେ।
ପ୍ରକାଶ ଯେ, ହିଞ୍ଜିଳିକାଟୁ ପୌରାଞ୍ଚଳ ୱାର୍ଡ ନଂ.୨ର ଭକ୍ତମାର୍ଗରେ ରୁହନ୍ତି ଊର୍ମିଳା ମୁନୀ। ତାଙ୍କର ୩ପୁଅ ଓ ଗୋଟିଏ ଝିଅ। ୨ୟ ସନ୍ତାନ ଅନିଲ ୨୦୧୦ ଅକ୍ଟୋବରରେ ପୁରୀ ଯାଇ ଏକ ହୋଟେଲରେ କାମ କରୁଥିଲେ। ସେଠାରେ କୌଣସି ସମସ୍ୟା ହେବାରୁ ପୁଣି କାମ ଅନ୍ବେଷଣରେ କଟକ ଯାଇଥିଲେ। ଏହାପରେ ସେ ଆଉ ଘରକୁ ଫେରି ନ ଥିଲେ କିମ୍ବା ପରିବାର ଲୋକଙ୍କ ସହ ଯୋଗାଯୋଗ ରଖି ନ ଥିଲେ। ୨୦୧୪ରେ ୨ଜଣ ବ୍ୟକ୍ତି ଆସି ଅନିଲଙ୍କ ବଡଭାଇଙ୍କୁ ଗଁା ମୁଣ୍ଡରେ ଭେଟିଥିଲେ। ସେମାନେ କଟକରୁ ଆସିଛନ୍ତି ଓ ସେଠାରେ ଅନୀଲଙ୍କ ମୃତ୍ୟୁ ହୋଇଥିବା କହିଥିଲେ। ଏହାକୁ ବିଶ୍ୱାସ କରି ପରିବାର ଲୋକେ ଶୁଦ୍ଧିକ୍ରିୟା କରିଥିଲେ।
ମାତ୍ର ହଠାତ୍‌ ଅନିଲ ଘରକୁ ଫେରିବା ପରେ ସମସ୍ତେ ଆଶ୍ଚର୍ଯ୍ୟ। ଏନେଇ ଅନିଲଙ୍କୁ ପଚାରିବାରୁ ସେ କେଉଁଠି ଏତେଦିନ ହେଲା ଥିଲେ କିଛି କହିପାରୁନାହାନ୍ତି। ତେବେ ସେ ଦିଲ୍ଲୀରେ କୌଣସି ସ୍ଥାନରେ କାମ କରୁଥିବା ଓ ସେଠାରୁ ଏବେ ଘରକୁ ଫେରିଥିବା ମା’ ଊର୍ମିଳା କହିଛନ୍ତି।